ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଆଜି ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି। ଦଳ ୩ ଦଫା ଦାବିରେ ଆଜି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରିବ। ଏହାସହ ଯାଜପୁର ଏସପି ଓ ମହିଳା କମିଶନଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ମଧ୍ୟ ଦଳ ଦାବି କରିବ। ସ୍ମିତାରାଣୀର ହତ୍ୟା ଘଟଣାର ସିବିଆଇ ତଦନ୍ତ, ସ୍ମିତାରାଣୀଙ୍କର ଚରିତ୍ର ହନନ କରିଥିବା ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ବହିଷ୍କାର, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ବହିଷ୍କାର ଏବଂ ମହିଳାଙ୍କ ସୁରକ୍ଷା ନେଇ ଜିରୋ ଟଲେରାନ୍ସ ଗ୍ରହଣ କରିବା ଆଦି ଦାବି ନେଇ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ କରିବ। ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି। ବିଜେପିର ଅଭିଯୋଗ ଅନୁସାରେ, ସ୍ମିତାରାଣୀଙ୍କ ସହ ଦୁର୍ଷ୍କମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି। ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛନ୍ତି।