ସମୀକ୍ଷା ବ୍ୟୁରୋ
ଦିଲ୍ଲୀରେ ଅଡ୍-ଇଭିନ୍ ଲାଗୁ ହେବା ପରେ ପ୍ରଦୂଷଣର ମାତ୍ରା କମ୍ ହେଉଛି କୁହାଯାଉଥିବାବେଳେ ଟେରୀ କିନ୍ତୁ କିଛି ଅଲଗା ତଥ୍ୟ ଦେଉଛି। ଦ ଏନର୍ଜି ଆଣ୍ଡ ରିର୍ସୋସେସ୍ ଇଣ୍ଡିଆ (ଟେରୀ)ର ତଥ୍ୟ ଅନୁସାରେ ଚାରିଚକିଆ ଗାଡ଼ି ଉପରେ ଏହି ନିୟମ ଲାଗୁ କରିବା ଦ୍ବାରା କୌଣସି ଫାଇଦା ହେବ ନାହିଁ। ଟେରୀ ମୁତାବକ ଦୁଇଚକିଆ ଗାଡ଼ି ଯୋଗୁଁ ଅଧିବ ବାୟୁ ପ୍ରଦୂଷଣ ହୋଇଥାଏ। ତେଣୁ ଅଡ୍ ଇଭିନ୍ ନିୟମ ସମସ୍ତ ଗାଡ଼ି ଉପରେ ଲାଗିବା ଉଚିତ୍। ବାୟୁ ପ୍ରଦୂଷଣକୁ ରୋକିବାକୁ ଭୋଟ ବ୍ୟାଙ୍କ ପଲିଟିକ୍ସକୁ ହଟିକି କିଛି ନୂଆ ଚିନ୍ତା କରିବାକୁ ପଡ଼ିବ।
ଟେରୀର ରିପୋର୍ଟ ମୁତାବକ ଦିଲ୍ଲୀରେ ୨୫ ପ୍ରତିଶତ ପ୍ରଦୂଷଣ ଦୁଇ ଟିକିଆ ଯାନ ଯୋଗୁଁ ହେଉଥିବାବେଳେ କାର ଯୋଗୁଁ ୧୨ ପ୍ରତିଶତ ପ୍ରଦୂଷଣ ହେଉଛି। ସେହିପରି ବସ୍ ଯୋଗୁଁ ୯ ପ୍ରତିଶତ, ଅଟୋ ଯୋଗୁଁ ୧୮ ପ୍ରତିଶତ୍, ଟ୍ରକ୍ ଯୋଗୁଁ ୨୯ ପ୍ରତିଶତ ଓ ଟ୍ରାକ୍ଟର ଯୋଗୁଁ ୫ ପ୍ରତିଶତ ପ୍ରଦୂଷଣ ହେଉଛି। ସେହିପରି ନଡ଼ା ଜାଳିବା ଯୋଗୁଁ ଯାନବାହନଠାରୁ ୪୦ ପ୍ରତିଶତ ଅଧିକ ପ୍ରଦୂଷଣ ହେଉଛି। ତେବେ ମିଳିଥିବାସୂଚନା ଅନୁସାରେ ଏହି ନିୟମ ପରେ ୨ରୁ ୩ ପ୍ରତିଶତ ପ୍ରଦୂଷଣ କମ୍ ହୋଇଛି।
ଦିଲ୍ଲୀରେ ଅଡ୍ଇଭିନ୍କୁ ନେଇ କନ୍ଫ୍ୟୁଜନ୍
ଦିଲ୍ଲୀରେ ଗତକାଲିଠାରୁ ଅଡ୍ ଇଭିନ୍ ଲାଗୁ ହୋଇଥିବାବେଳେ ଏହି ନିୟମକୁ ନେଇ ଟିକେ ଦ୍ବନ୍ଦ୍ବ ଦେଖାଦେଇଛି। ବିଶେଷକରି କର୍ମସିଆଲ୍ ବାହନଗୁଡ଼ିକୁ ନେଇ ଏହି ନିୟମରେ କିଛି ଦ୍ବନ୍ଦ୍ବ ପରିଲକ୍ଷିତ ହେଉଛି। ସରକାରଙ୍କ ତରଫରୁ କୁହାଯାଉଛି ଯେ, କ୍ୟାବ୍, ଟ୍ୟାକ୍ସି ପରି କମର୍ସିଆଲ ବାହନ ଅଡ୍ ଇଭିନ୍ରୁ ବାହାର ରହିବେ। କିନ୍ତୁ ଏହି କ୍ୟାଟେଗୋରିରେ ଟ୍ରକ୍ ଓ ଟ୍ରାକ୍ଟର ବି ଆସୁଛନ୍ତି। ନରେଲା ବର୍ଡର ପାଖରେ ଇଟା ଓ ପଥରରେ ଭର୍ତ୍ତି ଟ୍ରାକ୍ଟର ଓ ଟ୍ରକ୍ ଦିଲ୍ଲୀରେ ଅନାୟାସରେ ଯିବା ଆସିବା କରୁଛନ୍ତି।