ଦିଲ୍ଲୀର ତିସ ହଜାରୀ କୋର୍ଟ ବାହାରେ ଗତ ଶନିବାର ଦିନ ପୁଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ମାମଲା ଆଜି ଏକ ନୂଆ ମୋଡରେ ପହଞ୍ଚିଛି । ଏହି ହିଂସା ଘଟଣା ପରେ ଗତ ତିନି ଧରି ଆଇନଜୀବୀମାନେ ଧାରଣକୁ ଓହ୍ଲାଇ ଥିବାବେଳେ ଆଜି ଦିଲ୍ଲୀ ପୁଲିସ ମୁଖ୍ୟାଳୟ ବାହାରେ ପୁଲିସକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପୁଲିସକର୍ମୀଙ୍କୁ ଭେଟିଛନ୍ତି । ପ୍ରଦର୍ଶନକାରୀଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ଅପିଲ କରିଛନ୍ତି । କମିଶନର କହିଛନ୍ତି, ଆମକୁ ଯେଉଁ ଦାୟିତ୍ବ ଦିଆଯାଇଛି ତାକୁ ତୁଲାଇ ଆଇନର ରକ୍ଷା କରିବା । ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ଅପିଲ ପରେ ମଧ୍ୟ ପୁଲିସକର୍ମୀ ପ୍ରଦର୍ଶନ ଜାରି ରଖିଥିଲେ । ପ୍ରଦର୍ଶନକାରୀମାନେ କିରଣବେଦୀଙ୍କ ନାଁର ନାରା ଦେଇଥିଲେ । ପୁଲିସକର୍ମୀମାନେ କହିଥିଲେ, ତାଙ୍କୁ କିରଣ ବେଦୀଙ୍କ ପରି ଦମଦାର ଅଫିସର ଦରକାର ଯିଏ ତାଙ୍କର ଦାବିକୁ ଭଲଭାବେ ବୁଝି ଏବଂ ଉପସ୍ଥାପନ କରିପାରିବ । ଅନ୍ୟପଟେ, ଦିଲ୍ଲୀରେ ଆଇନଜୀବୀ ମଧ୍ୟ ଧାରଣାରେ ଅଛନ୍ତି ଏବଂ ବାର କାଉନସିଲ୍ ମଧ୍ୟ ତାଙ୍କୁ ଚେତାବନୀ ଦେଇଛି ।