ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ମୋଡ଼ ନେଇଛି । ସରକାର ଗଠନ ନେଇ ଚାଲିଥିବା ଦ୍ବନ୍ଦ୍ବ ମଧ୍ୟରେ ଆଜି ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯାହାଙ୍କୁ ଜନାଦେଶ ମିଳିଛି, ସେମାନେ ଏହି ସମସ୍ୟାର ସମାଧାନ କରି, ସରକାର ଗଠନ କରନ୍ତୁ । ଆମକୁ ବିରୋଧୀ ଦଳ ଭାବେ ବସିବାକୁ ସୁଯୋଗ ମିଳିଛି । ବିଜେପି ଓ ଶିବସେନା ସରକାର ଗଢନ୍ତୁ ଓ ନିଜ ନିଜ ଭୂମିକା ନିର୍ବାହ କରନ୍ତୁ ବୋଲି କହିଛନ୍ତି । ଏହାସହିତ ପାଓ୍ବାର କହିଛନ୍ତି ଯେ, ଶିବସେନା ଓ ବିଜେପି ୩୦ ବର୍ଷ ଧରି ମେଣ୍ଟରେ ରହିଛନ୍ତି । ଆଜି ନହେଲେ କାଲି ଏକାଠି ହୋଇଯିବେ । ମହାରାଷ୍ଟ୍ର ସରକାର ଗଠନରେ ଏନ୍ସିପିର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ପାଓ୍ବାର । ମହାରାଷ୍ଟ୍ର ରାଜନୀତିରେ ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧର ଅବସାନ ଘଟୁନଥିବାବେଳେ ସରକାର ଗଠନ ନେଇ ଭିନ୍ନ ଭିନ୍ନ ପ୍ରକାର ମତ ପ୍ରକାଶ ପାଉଛି । ମହାରାଷ୍ଟ୍ରରେ ଜାରି ରହିଥିବା ଅଚଳାବସ୍ଥାକୁ ଦୂର କରିବାକୁ ଉଭୟ ଦଳ ଆରଏସ୍ଏସ୍ଙ୍କ ହସ୍ତକ୍ଷେପ ମଧ୍ୟ ଲୋଡି ସାରିଛନ୍ତି । ଆସନ୍ତା ୯ ତାରିଖରେ ମହାରାଷ୍ଟ୍ର ସରକାର ବିଧାନସଭା ଭଙ୍ଗ ହେବାକୁ ଥିବାବେଳେ ନିର୍ବାଚନ ପରିଣାମ ଆସିବାର ୧୩ ଦିନ ପରେ ବି ସରକାର ଗଠନ ନେଇ କିଛି ସ୍ପଷ୍ଟ ହୋଇପାରୁନାହିଁ ।