ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପରିସରରେ ପୋଲିସ୍ ଏବଂ ଓକିଲଙ୍କ ଝଗଡା ନୂଆ ମୋଡ ନେଇଛି । ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଗିରଫ କରିବା ପାଇଁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ବୁଧବାର ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଚେତାବନୀ ଦିଆଯାଇଛି । ଶନିବାର ପାର୍କିଂକୁ ନେଇ ଝଗଡା ହେବା ପରେ ଡ୍ୟୁଟିରେ ଥିବା ପୁଲିସ୍ ଏବଂ ଓକିଲଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏଥିରେ 20 ଜଣ ପୁଲିସ୍ ଏବଂ ସଂଖ୍ୟାଧିକ ଓକିଲ ଆହତ ହୋଇଥିଲେ । ଏଥିପାଇଁ ପୁଲିସ୍ ପକ୍ଷରୁ ସୋମବାର ଆନ୍ଦୋଳନ କରାଯାଇଥିବା ବେଳେ ମଙ୍ଗଳବାର ଓକିଲଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଓକିଲଙ୍କ ସମର୍ଥନରେ ବାହାରିଥିବା ବେଳେ ପୂର୍ବତନ ଦିଲ୍ଲୀ କମିଶନର ତଥା ପୁଡୁଚେରୀ ରାଜ୍ୟପାଳ କିରଣ ବେଦୀ ପୋଲିସକୁ ସମର୍ଥନ କରିଛନ୍ତି ।