ପିଆଜ ଦାମ ଏବେ ଆକାଶଛୁଆଁ ହୋଇଛି । ଦିଲ୍ଲୀର ଖୁଦ୍ରା ବଜାରରେ ପିଆର ଦର ୧୦୦ ଟଙ୍କା ପ୍ରତି କିଲୋ ପହଞ୍ଚିଛି । ପିଆଜର ଆକାଶଛୁଆଁ ଦର ସମସ୍ତଙ୍କୁ ଏବେ କନ୍ଦେଇବା ଆରମ୍ଭ କରିଛି । ବେପାରୀଙ୍କ ମୁତାବକ ପିଆଜର ଦର ୧୨୦ ଟଙ୍କା ପ୍ରତି କିଲୋରେ ପହଞ୍ଚିଛି । କେନ୍ଦ୍ରୀୟ ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ କହିଛନ୍ତି ଯେ, ଗତବର୍ଷ ତୁଳନାରୁ ପିଆଜର ଉତ୍ପାଦନ ୪୦ ପ୍ରତିଶତ କମିଛି । ଅନ୍ୟ ରାଜ୍ୟଗୁଡ଼ିକରେ ପିଆଜ କିଲୋ ପ୍ରତି ୮୦ରୁ ୯୦ ଟଙ୍କା ରହିଛି । ଗତ ୪ ବର୍ଷ ମଧ୍ୟରେ ପିଆଜ ଦର ସର୍ବାଧିକ ବୃଦ୍ଧିରେ ପହଞ୍ଚିଛି । ଅଗଷ୍ଟ ମାସରେ ଏହାର କିଲୋ ପ୍ରତି ୧୩ଟଙ୍କା ରହିଥିବାବେଳେ ଚଳିତ ମାସରେ ଏହା ୧୦୦ଟଙ୍କାରେ ପହଞ୍ଚିଛି । ପିଆଜ ଉତ୍ପାଦନ କମ୍ ହେବା କାରଣରୁ ପିଆଜ ଦରରେ ବୃଦ୍ଧି ଘଟିଛି । ବର୍ଷା ଓ ବନ୍ୟା ଯୋଗୁଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପିଆଜ ଫସଲ ବିଶେଷ ପ୍ରଭାବିତ ହୋଇଛି । ତେବେ ପିଆଜ ଦର ନିୟନ୍ତ୍ରଣ ପାଇଁ ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି । ପିଆଜର ଅଭାବ ଦୂର କରିବା ଲାଗି ଇରାନ, ତୁର୍କୀ ଓ ଅନ୍ୟ ଦେଶରୁ ପିଆଜର ଆମଦାନୀ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶରେ ପିଆଜ ଅଭାବ ଓ ଦରବୃଦ୍ଧି ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ନେଇଛନ୍ତି ୪ଟି ଦେଶରୁ ପିଆଜ ଆମଦାନୀ କରିବ ଖାଉଟି ବ୍ୟାପାର ବିଭାଗ ତରଫରୁ ସୂଚନା ରହିଛି । ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଓ ଇରାନରୁ ପିଆଜ ଅଣାଯିବ ବୋଲି କହିଛନ୍ତି ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶଓ୍ବାନ ।