ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପରିସରରେ ପୋଲିସ୍ ଏବଂ ଓକିଲଙ୍କ ମଧ୍ୟରେ ସଙ୍ଗଠିତ ଝଗଡା ନୂତନ ମୋଡ ନେଇଛି । ଏହି ଘଟଣାରେ ଦୁଇ ଜଣ ପୋଲିସ୍ ଅଧିକାରୀଙ୍କ ବଦଳି ପାଇଁ ତିସ୍ ହଜାରୀ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଶୃଙ୍ଖଳା ଦାୟିତ୍ବରେ ରହିଥିବା ସ୍ବତନ୍ତ୍ର ପୋଲିସ୍ କମିସନର ସଞ୍ଜୟ ସିଂଙ୍କୁ ଲାଇସେନ୍ସ ଏବଂ ପରିବହନ ବିଭାଗକୁ ବଦଳି କରାଯାଇଥିବା ବେଳେ ସହକାରୀ କମିଶନର ହରେନ୍ଦ୍ର ସିଂଙ୍କୁ ରେଳବାଇ ପୁଲିସ କମିସନର ଭାବେ ବଦଳି କରାଯାଇଛି । ହରେନ୍ଦ୍ର କୁମାରଙ୍କ ସ୍ଥାନରେ ରେଳବାଇ ଡିସିପି ଦୀନେଶ କୁମାର ଗୁପ୍ତା ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ସହିତ ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଦିଲ୍ଲୀ ପୋଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।