ସମୀକ୍ଷା ବ୍ୟୁରୋ
ଆଜି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ବିରାଟ ପଟୁଆର ସହ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା। ଦାଶରଥିପୁର ଗ୍ରାମ ସ୍ଥିତ ପବିତ୍ର ଶାଳିଆ ନଦୀରୁ ଭକ୍ତମାନଙ୍କ ଦ୍ୱାରା କଳସ ଜଳ ସଂଗ୍ରହ କରାଯାଇ ପରିଶେଷରେ ଏହି କଳସ ଶୋଭାଯାତ୍ରା ଅଧିବାସ ସ୍ଥଳ ଶ୍ରୀ ଶ୍ରୀ ରଙ୍କନାଥ ମନ୍ଦିରରେ ପହଂଚିଥିଲା। ଶୁକ୍ରବାର ପ୍ରାତଃରୁ ଅଷ୍ଟ ପ୍ରହରବ୍ୟାପୀ ଆଧ୍ୟାତ୍ମିକ ପରିବେଶରେ ନାମଯଜ୍ଞ ଓ ସଂକୀର୍ତ୍ତନ ହେବା ସହ ଆଜି ଶନିବାର ସକାଳେ ନଗରକୀର୍ତ୍ତନ, ନଗର ଭିକ୍ଷା ଓ ମଧ୍ୟାହ୍ନରେ ଭକ୍ତମାନେ କଳସ ବିସର୍ଜନ କରି ଯମୁନାସ୍ନାନ କରିଥିଲେ। ଅପରାହ୍ନ ଏକ ଘଟିକାରେ ବିରାଟ ଆନନ୍ଦ ବଜାର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ଯୋଉଥିରେ ପାଖାପାଖି ସାତ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ।
ଉକ୍ତ ନାମଯଜ୍ଞ ହୋମରେ କର୍ତ୍ତା ରୂପେ ସୁନୀଲ ଅଗ୍ରୱାଲ ଓ ରୁକ୍ମିଣୀ ଅଗ୍ରୱାଲ ଯୋଗଦେଇଥିବାବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ରାଧାମୋହନ ଅଗ୍ରୱାଲ, ଗିରିଧାରୀ ପାତ୍ର, ଅଜିତ ଅଗ୍ରୱାଲ ଓ ଅଶୋକ ପାତ୍ର ପରିଚାଳିତ କରିଥିଲେ।ପୂଜା କାର୍ଯ୍ୟରେ ବଜାର ସାହି ବାସିନ୍ଦା ସହଯୋଗ କରିଥିବାବେଳେ ପ୍ରସାଦ ବଣ୍ଟନ ସମୟରେ ସାହି ଲୋକମାନେ ତଥା ଏହାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ସ୍ବେଚ୍ଛସେବୀ ସଂଗଠନମାନେ ପୂର୍ଣ୍ଣ ସହଯୋଗ କରିଥଲେ।