ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଚାଲିଛି। ବୁଲବୁଲ ଏବେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି। ସନ୍ଧ୍ୟା ୭ଟାରୁ ରାତି ୧୧ଟା ସୁଦ୍ଧା ଏହି ବାତ୍ୟା ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ବୁଲବୁଲ ଓଡ଼ିଶା ନ ଛୁଇଁଲେ ମଧ୍ୟ ତାଣ୍ଡବ ରଚିଛି। ବୁଲବୁଲ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛି। କିନ୍ତୁ ଆଉ କିଛି ଘଣ୍ଟା ମଧ୍ୟରେ ଏହି ପ୍ରକୋପ କମିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ବାତ୍ୟା ବୁଲବୁଲ ପ୍ରଭାବରେ ଗତକାଲି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି। ଆଜି ସକାଳ ଠାରୁ ଏହି ସବୁ ସ୍ଥାନରେ ବର୍ଷା ଓ ପବନର ବେଗ ମଧ୍ୟ ବଢିଛି। ଓଡ଼ିଶାରେ ଆହୁରି ୪,୫ଘଣ୍ଟା ବର୍ଷା ହେବ। ଏହି ପ୍ରବଳ ବର୍ଷା ଓ ପବନରେ ଅନେକ ସ୍ଥାନରେ ଗଛ ଉପୁଡ଼ିଛି। କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ୬ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ ପ୍ରତିଶତ କ୍ଷତି ହୋଇଥିବା ଆଶଙ୍କା କରାଯାଇଛି। ଚାଷ କ୍ଷୟକ୍ଷତି ଆକଳନ ନେଇ ଗୋଟଏ ଟିମ ବାହାରିଛି ।