ଗାନ୍ଧୀ ପରିବାରର ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର ହେବା ପରେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରାଯାଇଛି । ବ୍ୟକ୍ତିଗତ ପ୍ରତିଶୋଧ ପରାୟଣତାରେ ଅନ୍ଧ ମୋଦି ଏବଂ ଶାହା ଏପରି ପଦକ୍ଷେପ ନେଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କଂଗ୍ରେସ ନେତା କେସି ଭେନୁଗୋପାଳ ଉଭୟ ନେତାଙ୍କୁ ସମାଲୋଚନା କରିଛନ୍ତି । ଇନ୍ଦିରା ଏବଂ ରାଜୀବ ଗାନ୍ଧୀଙ୍କ ହତ୍ୟା କାରଣରୁ ବାଜପେୟୀ ସରକାର ଗାନ୍ଧୀ ପରିବାରକୁ ଏସ୍ପିଜି ସୁରକ୍ଷା ପ୍ରଦାନ କରିଥିଲେ । ମାତ୍ର ଚଳିତ ସରକାରଙ୍କ ଏହି ନିଷ୍ପତ୍ତି ଦେଶର ପ୍ରମୁଖ ନେତୃତ୍ବଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଭେନୁଗୋପାଳ କହିଛନ୍ତି । ରବିବାର କିଛି କଂଗ୍ରେସ କର୍ମୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୃହ ସମ୍ମୁଖରେ ବିକ୍ଷୋଭ କରିବା ପରେ ସରକାର ଏହାର ଜବାବ ରଖିଛନ୍ତି । ରାହୁଲ ଗାନ୍ଧୀ ବାରମ୍ବାର ଏସ୍ପିଜି ନିୟମ ଭଙ୍ଗ କରିବା କାରଣରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ହଟାଯାଇ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି ।