ଝାରଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ 52 ବିଧାନସଭା ବସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଘୋଷଣା ହୋଇଥିବା ବେଳେ ଆଜି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା 52 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । 52 ଜଣିଆ ପ୍ରାର୍ଥୀ ତାଲିକାରେ 12 ଜଣ ନୂଆ ମୁହଁଙ୍କୁ ସ୍ଥାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର(ପୂର୍ବ)ରୁ ପ୍ରତିଦ୍ବନ୍ଦିତା କରିବା ନେଇ ନଡ୍ଡା ଘୋଷଣା କରିଛନ୍ତି । ରଘୁବର ଦାସ ଏକ ଦୁର୍ନୀତିମୁକ୍ତ ଏବଂ ଦୃଢ ସରକାର ପ୍ରଦାନ କରିଥିବାରୁ ଜନାଦେଶ ବିଜେପି ସପକ୍ଷରେ ରହିଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ, ଜେଏମ୍ଏମ୍ ଏବଂ ଆରଜେଡି ମେଣ୍ଟ ପକ୍ଷରୁ ମଧ୍ୟ 43 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଜେଏମ୍ଏମ୍ 31 ଆସନରେ ପ୍ରାର୍ଥୀ ଦେବାକୁ ଥିବା ବେଳେ କଂଗ୍ରେସ ଏବଂ ଆରଜେଡି ବଳକା 12 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଝାରଖଣ୍ଡରେ 5 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ନଭେମ୍ବର30ରୁ ଆରମ୍ଭ ହୋଇ ଏହା ଡିସେମ୍ବର 20 ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର 23ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବାର ଥିବା ବେଳେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ନଭେମ୍ବର 13ରେ ଅନୁଷ୍ଠିତ ହେବ ।