ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର- ବିଜେଡିରେ ପ୍ରଥମ ଥର ପାଇଁ ସଂଗଠନ ସଂପାଦକ ଦାୟିତ୍ୱ ସୃଷ୍ଟି ହୋଇଛି । ଆଉ ଏହି ଦାୟତ୍ବ ଦଳର ଟାଣୁଆ ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଦାନ କରାଯାଇଛି। ଆଜି ଦଳ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବରୁ ପ୍ରଣବ କୌଣସି ପଦ ପଦବୀରେ ନ ଥିଲେ ମଧ୍ୟ ଜଣେ ଭଲ ସଂଗଠକ ଭାବେ ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି। 2014 ସରକାର ବେଳେ ପ୍ରଣବ ସଂଗଠନ ଦାୟିତ୍ବ ନେବା ପାଇଁ ଆଉ କେତେକଙ୍କ ସହିତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ସେ ବିଜେଡିର ଜଣେ ଭଲ ସଂଗଠକ ଭାବେ କାର୍ଯ୍ୟ କରିଆସୁଛନ୍ତି। 2019 ନିର୍ବାଚନ ତାଙ୍କର ନେତୃତ୍ୟରେ ପରିଚାଳନା କରାଯାଇଥିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କ ଉପରେ ବେଶ୍ ଭରସା ରଖିଛନ୍ତି। ବର୍ତ୍ତମାନ ସରକାରରେ ସେ ମନ୍ତ୍ରୀ ନ ଥିଲେ ମଧ୍ୟ ମନ୍ତ୍ରୀ ତିଆରିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ବିଜେଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଯଦି କାହା କଥା କୁହାଯାଏ ତେବେ ସେ ପ୍ରଣବ ଓରଫ ବବି ଦାସ ବୋଲି ବିବେଚନା କରାଯାଉଛି। ଗତ ବିଜେପୁର ନିର୍ବାଚନରେ ପ୍ରଣବଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ ମଧ୍ୟ ଥିଲା। ପ୍ରଣବଙ୍କ ସହିତ ସଂଜୟ ଦାସବର୍ମାଙ୍କୁ ମଧ୍ୟ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ଦଳ ମୁଖ୍ୟାଳୟର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିବେ। ସେହିପରି ଦଳର ନିର୍ବାଚନ ପରିଚାଳନା ପାଇଁ ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ କେଶରୀ ଦେବଙ୍କ ହାତରେ ନ୍ୟସ୍ତ କରାଯାଇଛି। ପ୍ରତାପ ଦଳର ରିଟର୍ଣ୍ଣି ଅଫିସର ଭାବେ କାର୍ଯ୍ୟ କରିବେ।