ଆଜି ସିକିମ୍ ବିଜେପି ସଭାପତି ଡ.ବି. ଚୌହ୍ବାନ ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ପ୍ରତିନିଧି ଦଳ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ମୁଖପାତ୍ର ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ଦେଶର ଉତ୍ତର-ପୂର୍ବାଞ୍ଚଳର ବିକାଶ ପ୍ରସଙ୍ଗରେ ପ୍ରତିନିଧିମାନେ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି ।
ଦେଶର ଉତ୍ତର-ପୂର୍ବାଞ୍ଚଳର ବିକାଶରେ ସରକାର ନେଉଥିବା ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା। ଦେଶର କୃଷି ଓ ବିଭିନ୍ନ ଉତ୍ପାଦନ କ୍ଷେତ୍ରର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏବଂ ବିଶେଷ କରି ଉତ୍ତର-ପୂର୍ବାଞ୍ଚଳର ଅର୍ଥନୈତିକ ସ୍ଥିତି ଧ୍ୟାନ ଦେଇ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରିତା (ଆରସିଇପି) ଚୁକ୍ତିକୁ ସ୍ବାକ୍ଷର କରିବାକୁ ପ୍ରଧାନମନ୍ତ୍ରୀ ମନା କରିଦେଇଥିଲେ ବୋଲି ପଣ୍ଡା କହିଥିଲେ।
ସେହିପରି ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ, ବିଜେପି ଏବେ ବିଶ୍ବର ଅନ୍ୟତମ ବୃହତ୍ତ ଦଳ ହୋଇଛି । ବିଜେପିର ଉନ୍ନତି ସମ୍ପର୍କରେ ପଣ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଏକ ବରିଷ୍ଠ ନେତୃତ୍ବ ହିଁ ଏହି ଦଳକୁ ବୃହତ୍ତ ଦଳ କରିପାରିଛି। ଏଥିସହିତ ଏହି ଦଳରେ ବରିଷ୍ଠମାନେ କନିଷ୍ଠମାନଙ୍କୁ ସର୍ବଦା ମାର୍ଗଦର୍ଶନ କରିଆସିଛନ୍ତି। ଯେଉଁଥିପାଇଁ ବିଜେପିର ସଦସ୍ୟତା ବଢିବା ସାଙ୍ଗକୁ ଏହା ଲୋକପ୍ରିୟ ହୋଇଛି ବୋଲି ସେ କହିଥିଲେ। ଏହି ପ୍ରତିନିଧି ଦଳରେ ସିକିମ ବିଜେପି ଉପସଭାପତି ଜଗତ ସିଂ, ଭାରତୀୟ ଜନତା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଅକ୍ଷୟ ବଂଶଲ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ରହିଥିଲେ । ସୂଚନାଯୋଗ୍ୟ ବିଜେପିର ସଦସ୍ୟତା ଅଭିଯାନ ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ପଣ୍ଡା ଗତ ଜୁଲାଇରେ ସିକିମ ଗସ୍ତ କରିଥିଲେ ।