ମହାରାଷ୍ଟ୍ର, ୨/୧୨: ମହାରାଷ୍ଟ୍ରରେ ଏବେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଚଳିତ ବିଧାନସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଘଟଣାକ୍ରମ ବେଶ୍ ଉତ୍ସୁକତା ରହିଥିଲା । ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭୀସ୍ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ରାତିଅଧିଆ ମୁଖ୍ୟମନ୍ତ୍ରୀ ହେବା ଓ ଫ୍ଲୋର୍ ଟେଷ୍ଟ ପୂର୍ବରୁ ସମର୍ପଣ କରାଯିବାକୁ ନେଇ ରାଜନୈତିକ ମହଲରେ ବେଶ୍ ହଟଚମଟ ସୃଷ୍ଟି ହୋଇଥିଲା । ଦେବେନ୍ଦ୍ର ଫଡ୍ନଭୀସ୍ ମାତ୍ର ୮୦ ଘଣ୍ଟା ପାଇଁ କ’ଣ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଥିଲା । ତେବେ ଏହି ପ୍ରଶ୍ନର ସମାଧାନ କରିଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ଅନନ୍ତ ହେଗେଡ୍ ।
ହେଗେଡ୍ ଏହି ଘଟଣାର ଖୁଲାସା କରି କହିଛନ୍ତି ଯେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ପାଣ୍ଠିକୁ ବଞ୍ଚାଇବା ଲାଗି ଦେବେନ୍ଦ୍ର ଫଡ୍ନଭୀସ୍ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଗେଡ୍ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପଇସା ଉପରେ ଶିବସେନା-ଏନ୍ସିପି- କଂଗ୍ରେସର ଖରାପ ନଜର ରହିଥିଲା । ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇ ଦେବେନ୍ଦ୍ର ଏହି ପଇସାର ସଠିକ୍ ଉପଯୋଗ କରିଛନ୍ତି । ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଶପଥ ନେଇ ୧୫ ଘଣ୍ଟା ମଧ୍ୟରେ ସେହି ସମସ୍ତ ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ର ସରକାରକୁ ଫେରାଇ ଦେଇଛନ୍ତି । ହେଗ୍ଡେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଥିଲା। ଯଦି କଂଗ୍ରେସ, ଏନସିପି ଏବଂ ଶିବସେନା କ୍ଷମତାକୁ ଆସିଥାନ୍ତେ, ତେବେ ସେମାନେ ୪୦ ହଜାର କୋଟି ଟଙ୍କାର ଦୁରୁପୋଯୋଗ କରିଥାନ୍ତେ। ଏହି କାରଣରୁ କେନ୍ଦ୍ର ସରକାର ଉକ୍ତ ଅର୍ଥକୁ କିପରି ବିକାଶ କାର୍ଯ୍ୟରେ ବ୍ୟବହାର କରିପାରିବେ ସେଥିଲାଗି ଏପରି ନାଟକ କରାଗଲା। ବିଜେପି ଏହି ଯୋଜନା ବହୁ ଆଗରୁ କରିଥିଲା। ସେଥିପାଇଁ ଏପରି ନାଟକ କରିବାକୁ ଯୋଜନା କରାଯାଇଥିଲା। ଫଡନଭୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଏହାର ୧୫ ଘଣ୍ଟା ମଧ୍ୟରେ ସେ ୪୦ ହଜାର କୋଟି ଟଙ୍କାକୁ ସେହି ସ୍ଥାନରେ ପହଞ୍ଚାଇଦେଲେ ଯେଉଁଠାରୁ ତାହା ଆସିଥିଲା। ଏଭଳି ଭାବେ ଫଡନଭୀସ ସମସ୍ତ ଟଙ୍କା କେନ୍ଦ୍ର ଫେରାଇ ତାହାକୁ ରକ୍ଷା କଲେ ବୋଲି ହେଗ୍ଡେ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ମହାରାଷ୍ଟ୍ର ବିଧାନସଭାରେ ଶିବସେନା-ବିଜେପି ମିଳିତ ଭାବରେ ନିର୍ବାଚନକୁ ଓହ୍ଲାଇ ଜନାଦେଶ ପାଇଥିବାବେଳେ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏବଂ ପରିଶେଷରେ ମହାରାଷ୍ଟ୍ରରେ ଶିବସେନା-ଏନ୍ସିପି – କଂଗ୍ରେସ ମିଳିତ ଭାବରେ ମେଣ୍ଟ ସରକାର ଗଠନ କରିଛନ୍ତି । (ଏଜେନ୍ସି)