ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 21/12: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 38ତମ ସମାବର୍ତ୍ତନ ଉତ୍ସବ 2019 ମସିହା ଡିସେମ୍ବର ମାସ 21 ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏବଂ ବିଶ୍ବବିଦ୍ୟାଳୟର ମାନ୍ୟବର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ତଥା ବିଶ୍ବବିଦ୍ୟାଳୟର ଉପକୁଳାଧିପତି ଡ. ଅରୁଣ ସାହୁ ଯୋଗଦାନ କରିଛନ୍ତି। ଏହି ଉତ୍ସବରେ ଇମ୍ଫାଲ୍ ସ୍ଥିତ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଏସ୍. ଆୟାପ୍ପାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମିଶ୍ର ଓ ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଇଞ୍ଜିନିୟର ଅଂଶୁମାନ ଦାସଙ୍କୁ ସମ୍ମାନସୂଚକ ଡି.ଏସ୍.ସି ଉପାଧି ପ୍ରଦାନ କରାଯାଇଛି। ଏହି ଉତ୍ସବରେ 740 ଜଣଙ୍କୁ ସ୍ନାତକ, 482ଜଣଙ୍କୁ ସ୍ନାତକୋତ୍ତର ଏବଂ 30 ଜଣଙ୍କୁ ପି.ଏଚ୍ଡି ଡିଗ୍ରୀ ପ୍ରଦାନ କରାଯାଇଛି । ଏତଦ୍ବ୍ୟତୀତ 114ଜଣଙ୍କୁ ସ୍ବର୍ଣ୍ଣପଦକ ସହ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ ମଧ୍ୟ କରାଯାଇଛି।