ଗଛ କାଟୁଥିବା ସମୟରେ ବିଦ୍ୟୁତ ଖୁଣ୍ଟ ପଡି ମହିଳା ମୃତ

Published: Feb 18, 2020, 8:21 pm IST

କନ୍ଦର୍ପ ବେହେରା

ରେଢାଖୋଲ : କିସିଣ୍ଡା ଥାନା ମହୁକୁଦ ଗ୍ରାମରେ ଜନୈକା ମହିଳା ଉପରେ ଇଲେକ୍ଟ୍ରି ଖୁମ୍ବ ପଡିଯିବାରୁ ମହିଳାଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ବଳମ୍‌ ପଞ୍ଚାୟତର ମହୁକୁଦ ଗ୍ରାମରେ ପ୍ରହ୍ଲାଦ ସାହୁଙ୍କ ପୁଅ ଘର ତିଆରି କରୁଥିଲେ। ହେଲେ ଘର ପାଖରେ ଏକ ଗଛ ଥିବାରୁ ଘର ତିଆରିରେ ଅସୁବିଧା ହେବାରୁ ଗଛ କାଟିବାକୁ ଜନୈକ ଲୋକଙ୍କୁ ନିୟୋଜିତ କରିଥିଲେ। ପାଖରେ ଥିବା ଇଲେକ୍ଟ୍ରିଖୁମ୍ବଟି ବିପଦ ସଂକୁଳ ଅବସ୍ଥାରେ ରହିଥିଲା। ମହିଳା ଜଣକ ତାଙ୍କ ଝିଅକୁ ଡାକିବାକୁ ଯିବା ସମୟରେ ଗଛଟି ଇଲେକ୍ଟ୍ରି ତାର ଉପରେ ପଡ଼ିଯାଇଥିଲା। ଫଳରେ ବିପଦ ସଂକୁଳ ଇଲେକ୍ଟ୍ରି ଖୁମ୍ବଟି ମହିଳାଙ୍କ ଉପରେ ପଡିଯାଇଥିବାବେଳେ ଦେହର ବିଭିନ୍ନ ଅଂଶରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ରେଢାଖୋଲ ଡାକ୍ତରଖାନା ନିଆଯାଇଥିଲା, ତେବେ ଡାକ୍ତରଖାନା ଯିବା ବାଟରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତେବେ ଇଲେକ୍ଟ୍ରି ଖୁମ୍ବ ପଡ଼ି ମହିଳାଙ୍କର ଜୀବନ ଯାଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Related posts