ଲ୍ୟାଡ୍‌ ଫଣ୍ଡ୍‌ ପ୍ରକଳ୍ପର କାର୍ଯ୍ୟାଦେଶ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମିଳିବ ନାହିଁ

Published: Feb 21, 2020, 10:09 am IST

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ପି ଲ୍ୟାଡ୍‌ ଫଣ୍ଡ) ଅର୍ଥରେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇପାରିବ ନାହିଁ ବୋଲି ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଜଣାଇଛନ୍ତି । ଅନ୍ୟପକ୍ଷରେ ସେହି ପାଣ୍ଠି ବରାଦ ଅର୍ଥର ପ୍ରକଳ୍ପଗୁଡିକ ପାଇଁ ସମିତି ସଭ୍ୟ କିମ୍ବା ସରପଞ୍ଚମାନଙ୍କୁ କାର୍ଯ୍ୟାଦେଶ (ଓ୍ବାର୍କ ଅର୍ଡର) ଦିଆଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଯୋଜନା ମନ୍ତ୍ରୀ ଶ୍ରୀ ବେହେରା କହିଲେ, ଏହି ପାଣ୍ଠି ବରାଦ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଛଅମାସ ଭିତରେ ଆରମ୍ଭ କରାଯିବାର ନିୟମ ରହିଛି । ଜିଲ୍ଲାପାଳମାନେ ଏହି ପ୍ରକଳ୍ପଗୁଡିକ ଅନୁମୋଦନ କରିଥାଆନ୍ତି । ପୂର୍ବତନ ସାଂସଦମାନଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌.ପି. ଲ୍ୟାଡ୍‌ ଫଣ୍ଡ) ଅର୍ଥରୁ 92 ଦଶମିକ 73 ଭାଗ ଅର୍ଥ ଇତିମଧ୍ୟରେ ଖର୍ଚ୍ଚ ହୋଇସାରିଥିବାବେଳେ ପୂର୍ବତନ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ଅର୍ଥ 84 ଦଶମିକ 4 ଶତାଂଶ ଉପଯୋଗ ହୋଇଛି । ବିଧାୟକମାନଙ୍କ ନିମେନ୍ତ ଉଦ୍ଦିଷ୍ଟ ତାଙ୍କ ବିଭାଗର ଏସ୍‌.ଡି.ଏଫ୍‌ (ସ୍ପେଶାଲ୍‌ ଡେଭେଲପ୍‌ମେଣ୍ଟ ଫଣ୍ଡ୍‌) ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ତେବେ ଏସ୍‌.ପି.ଏଫ୍‌ ବା ସ୍ପେଶାଲ୍‌ ପ୍ରୋବ୍ଲେମ୍‌ ଫଣ୍ଡ୍‌ ବ୍ୟବସ୍ଥା ବଳବତ୍ତର ରହିଛି ।

ଶୂନ୍ୟକାଳରେ ଏ ସମ୍ପର୍କରେ ନରସିଂହ ମିଶ୍ର, ଜୟନ୍ତ କୁମାର ଷଡଙ୍ଗୀ, ଗଣେଶ ରାମ ସିଂ ଖୁଣ୍ଟିଆ, ସୈଲିକ ବିଶ୍ବାଳ, ଭାଗିରଥୀ ସେଠି ଭିନ୍ନ ଭିନ୍ନ ପ୍ରଶ୍ନ ପଚାରିଥିଲେ ।

Related posts