ଶ୍ରୀମନ୍ଦିରରେ କରୋନା କଟକଣା 

Published: Mar 16, 2020, 11:30 am IST

ସମୀକ୍ଷା ବ୍ୟୁରୋ

ପୁରୀ : ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନା ସଂପର୍କରେ ସ୍ଥିତି ସମୀକ୍ଷା କରିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଭିତରେ ଥିବା ଗରୁଡ ସ୍ତମ୍ବ ଓ ବାହାରେ ଥିବା ଅରୁଣ ସ୍ତମ୍ବକୁ ଭକ୍ତମାନେ ଛୁଇଁ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ୍‌ 15 ଯାଏଁ ଭିତର କାଠ ଦର୍ଶନ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି । ଧାଡିରେ ରହିଥିବା ଭକ୍ତ ଅନ୍ୟ ଜଣଙ୍କ ଠାରୁ ୧ ମିଟର ଦୂରତାରେ ରହିବା ପାଇଁ କୁହାଯାଇଛି। ସେହିପରି ଆନନ୍ଦ ବଜାରରେ ବସି ଏକତ୍ରିତ ଖାଇବାକୁ ମନାକରାଯାଇଛି।

ବାହାରୁ ଆସୁଥିବା ଭକ୍ତମାନଙ୍କୁ ନିଜସ୍ୱ ଘୋଷଣା ପତ୍ର ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏଥି ନିମନ୍ତେ ଶ୍ରୀମନ୍ଦିର ପାଖରେ ଏକ ହେଲ୍ପ ଡେସ୍କ ରହିବ ସେହି ଠାରେ ଭକ୍ତ ମାନଙ୍କୁ ଫର୍ମ ଯୋଗାଇଦିଆଯିବ। ଭକ୍ତ ମାନେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଗୋଡ ଓ ହାତକୁ ଭଲଭାବେ ଧୋଇ ପରିଷ୍କାର ରଖି ଭିତରକୁ ଯିବେ। ସେବାୟତ ମାନେ ମଧ୍ୟ ପୁଜା କଲା ବେଳେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି। ଶ୍ରୀ ମନ୍ଦିର ଭିତରେ ଥିବା କୌଣସି ଦେବାଦେବୀ କିମ୍ବା ବସ୍ତୁକୁ ସ୍ପର୍ଷ କରିପାରିବେ ନାହିଁ। ଶ୍ରୀମନ୍ଦିରର ଚାରି ଦୁଆରରେ ହାଣ୍ଡ ସାନିଟେସନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ମହାପ୍ରସାଦ ଆନନ୍ଦ ବଜାରରେ ନଖାଇ ଘରକୁ ନେଇ ଖାଇବା ପାଇଁ ନିବେଦନ କରାଯାଇଛି। ଶ୍ରୀମନ୍ଦିରର କର୍ମଚାରୀମାନେ ମାସ୍କ ବ୍ୟବହାର କରିବେ ବୋଲି ମନ୍ଦିର ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୁରୀକୁ ଆସୁଥିବା ସମସ୍ତ ଗାଡିର ଯାଞ୍ଚ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

Related posts