ଲକ୍‌ ଡାଉନ୍‌ ପାଇଁ ଚାଲିଗଲା ରୋଜଗାର୍‌ , ହଜାର କିମି ଦୂରରୁ ଘରକୁ ଫେରୁଛନ୍ତି ଶ୍ରମିକ, କିଏ ପାଦରେ ତ ପୁଣି କିଏ ଟ୍ରଲିରେ

Published: Mar 26, 2020, 11:35 am IST

 

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ସାରା ଦେଶରେ 21 ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି । ଘରୁ ବାହାରକୁ ନ ଆସିବାକୁ ନିର୍ଦ୍ଦେଶ ରହିଥିବାବେଳେ ଏହି ଲକ୍‌ ଡାଉନ୍‌ ହଜାର ହଜାର ଲୋକଙ୍କୁ ରାସ୍ତା ଉପରକୁ ନେଇ ଆସିଛି । ପରିବାର ସହ ଘରେ ରହିବାକୁ ସରକାରଙ୍କ ତରଫରୁ କୁହାଯାଇଥିବାବେଳେ, ଘର ନଥିବାରୁ ରାସ୍ତାକୁ ଆସିଛନ୍ତି ହଜାର ହଜାର ଦିନ ମଜୁରିଆ ।

ଲକ୍‌ ଡାଉନ୍‌ରେ ସବୁଠୁ କ୍ଷତିଗ୍ରସ୍ତ ହେଉଛନ୍ତି ଦିନ ମଜୁରିଆ । ପେଟ ଚାଖଣ୍ଡକ ପାଇଁ କିଏ କାହିଁ କେତେ ଦୂରରୁ ଆସି ସହରରେ ପଡି ରହି କାମ କରି ମୂଲ ଲାଗି ପେଟ ପୋଷୁଥିବାବେଳେ ଏହି ଲକ୍‌ ଡାଉନ୍‌ ସେମାନଙ୍କ ପାଇଁ ଅଭିଶାପ ପାଲଟିଯାଇଛି । ନିଜ ଭିଟାମାଟି ଛାଡି ସହରରେ ରହିଥିବା ଏହି ଦିନ ମଜୁରିଆମାନେ ଏବେ ଲକ୍‌ ଡାଉନ୍‌ ପାଇଁ ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । କିଏ କିଏ ପାଦରେ ଚାଲି ଚାଲି ଯାଉଛି, ତ କିଏ ସାଇକେଲରେ ତ ପୁଣି କିଏ ରିକ୍ସାରେ ।

ହରେନ୍ଦ୍ର ମହତୋ ତାଙ୍କ ନିଜ ପରିବାରକୁ ନେଇ ଟ୍ରଲିରେ ଦିଲ୍ଲୀରୁ ମୋତିହାରୀକୁ ଯାଉଛନ୍ତି । ତାହା ପୁଣି ଟ୍ରଲିରେ । ହରିନ୍ଦର୍‌ କହିଛନ୍ତି ଯେ 22 ତାରିଖରୁ ତାଙ୍କୁ ଆଉ କାମ ମିଳିଲା ନାହିଁ । 21 ଦିନ ବଞ୍ଚିବା ପାଇଁ ତାଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ନାହିଁ । ସେଥିପାଇଁ ପରିବାରର ସମସ୍ତ ସଦସ୍ୟଙ୍କୁ ତିନୋଟି ଟ୍ରଲିରେ ବସାଇ ସେ ଦିଲ୍ଲୀରୁ ମୋତିହାରୀକୁ ଯାତ୍ରାଆରମ୍ଭ କରିଛନ୍ତି ।

ଦିଲ୍ଲୀଠାରୁ ତାଙ୍କ ଘର 1018 କିଲୋମିଟର ଦୂର । ଯଦି ତାଙ୍କୁ ରାସ୍ତାରେ କେହି ନ ରୋକନ୍ତି ତେବେ ତାଙ୍କୁ ତାଙ୍କ ଗ୍ରାମରେ ପହଞ୍ଚିବା ପାଇଁ ପାଞ୍ଚରୁ ସାତ ଦିନ ଲାଗିଯବ । ସାରା ଭାରତରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ କିଏ ଜାଣେ ତାଙ୍କୁ କେଉଁଠି ଅଟକିବାକୁ ପଡ଼ିବ ।

କେବଳ ହରେନ୍ଦ୍ର ନୁହଁନ୍ତି, ଦେଶରେ ଏମିତି ବହୁତ ଶ୍ରମିକ ତଥା ଦିନ ମଜୁରିଆଙ୍କ କାହାଣୀ ସାମ୍ନାକୁ ଆସିଛି ଯିଏ, ଯାହାଙ୍କର ଜୀବନ ଏହି ଲକ୍‌ ଡାଉନ୍‌ ଯୋଗୁଁ ବିପନ୍ନ ହୋଇଛି । ଫୁଟପାଥ୍‌ରେ ଶୋଇ ରହି କାମ କରୁଥିବା ଚଣ୍ଡୀଗଡର 14 ଜଣ ଦିନ ମଜୁରିଆ ସାଇକେଲ୍‌ ଜରିଆରେ ନିଜ ଗ୍ରାମ ୟୁପିର ବଲରାମପୁରକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ ମଧ୍ୟ ରହିଛନ୍ତି ।

ପାଞ୍ଚଦିନରେ 300 କିଲୋମିଟର ଚାଲିକରି ସେମାନେ ମୁରାଦବାଦ ପର୍ଯ୍ୟନ୍ତ ପହଞ୍ଚିଛନ୍ତି ।  ଏବେ ସେମାନଙ୍କୁ 700 କିଲୋମିଟର ଯିବାକୁ ବାଟ ବାକି ଅଛି। ଦିନ ମଜୁରିଆଙ୍କ ଏପରି ହୃଦୟ ବିଦାରକ ଘଟଣା ଶୁଣିଲେ ଆଖିରୁ ଲୁହ ବହି ପଡିବ । ଏମାନେ କେବଳ ଗୋଟିଏ ଥର ଖାଦ୍ୟ ଖାଇଛନ୍ତି ।

ରାଜେନ୍ଦ୍ର ଶୁକ୍ଲା ଓ ଏମାନଙ୍କ ସାଥୀମାନେ ରିକ୍ସା ଚଳାଇ ଜୀବନ ନିର୍ବାହ କରୁଥିବାବେଳେ ଲକ୍‌ ଡାଉନ୍‌ ଯୋଗୁଁ ଗୋଟିଏ ଓଳି ପାଇଁ ମୁଠାଏ ଖାଇବା ଯୋଗାଡ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି ।

ସେହିପରି ଅହମ୍ମଦାବାଦ ମଜୁରିଆଙ୍କ କାହାଣୀ ଆହୁରି ମର୍ମସ୍ପର୍ଶୀ ।  ଗୁଜୁରାଟର ଅହମ୍ମମଦାବାଦରୁ ହଜାର ହଜାର ଦିନମଜୁରିଆ ଓ ଶମିକମାନେ ପାଦରେ ଚାଲି ଚାଲି ରାଜସ୍ଥାନ ଯିବାକୁ ଯାତ୍ରା ଆରମ୍ଭ କରିଛନ୍ତି । ନା ତାଙ୍କ ପାଖରେ ପଇସା ଅଛି, ନା କାମ ଅଛି । ନା ଖାଇବା ପାଇଁ ଖାଦ୍ୟ । ନିଜ ପିଲାଛୁଆଙ୍କୁ ଧରି ପାଦରେ ଚାଲି ଚାଲି ସେମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି ।

ସେହିପରି ଲକ୍‌ ଡାଉନ୍‌ କାରଣରୁ ହାଇଓ୍ବେରେ ଥିବା ଢାବା ମଧ୍ୟ ବନ୍ଦ ରହିଛି । ଏପରି ସମୟରେ ସେମାନଙ୍କ ପାଖରେ ଖାଇବା ପାଇଁ କିଛି ବିକଳ୍ପ ନାହିଁ ।

ଲକ୍‌ ଡାଉନ୍‌ରେ ପରେ ଶ୍ରମିକ ଓ ଦିନମଜୁରିଆଙ୍କ ସଂକଟ ଆହୁରି ବଢିଯାଇଛି । ରାଜସ୍ଥାନରୁ ନେଇ ପଞ୍ଜାବ, ଗୁଜୁରାଟ, ବଙ୍ଗାଳ, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର, ବିହାର, ୟୁପିରେ ପାଖାପାଖି 5 କୋଟି ଲୋକ ଦିନ ମଜୁରିଆ ବା ଶ୍ରମିକ ଭାବେ କାମ କରୁଛନ୍ତି ।

ଲକ୍‌ ଡାଉନ୍‌ ଯୋଗୁଁ ଏହି ଶ୍ରମିକ ତଥା ମଜୁରିଆ ଶ୍ରେଣୀର ଲୋକମାନେ ନାହିଁ ନଥିବାର ହଇରାଣ ହରକତ ହେଉଛନ୍ତି ।

କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଲାଣି ଏଥିପାଇଁ ସରକାରଙ୍କ 21 ଦିନ ତାଲାବନ୍ଦ ଘୋଷଣା କରିଛନ୍ତି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । କିନ୍ତୁ ଏହି ଦିନ ମଜୁରିଆ ଓ ଶ୍ରମିକମାନେ ସରକାରୀ ସାହାଯ୍ୟ ପାଇପାରୁନଥିବାବେଳେ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ।

Related posts