ହାଡ଼ ଆମ ଶରୀରର ମୂଳ ଭିତ୍ତିପ୍ରସ୍ତର ସଦୃଶ। ଏହା କେବଳ ଆମ ଶରୀରକୁ ଆକାର ଓ ସାମର୍ଥ୍ୟ ଦେଇନଥାଏ, ବରଂ ଚାଲିବା, ବୁଲିବା ଏବଂ ପ୍ରତିଦିନର କାର୍ଯ୍ୟ କରିବାକୁ ସହଜ କରିଥାଏ। ସୁସ୍ଥ ହାଡ଼ ଆମର ସମଗ୍ର ଶରୀରକୁ ମଜଭୁତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ଆଜିକାଲିର ଅସନ୍ତୁଳିତ ଖାଦ୍ୟପେୟ, ଭେଜାଲ ଖାଦ୍ୟ ସେବନ ଏବଂ ବ୍ୟାୟାମର ଅଭାବ ଯୋଗୁଁ ଅଳ୍ପ ବୟସରୁ ହାଡ଼ ଦୁର୍ବଳ ହେବାକୁ ଲାଗୁଛି। ହାଡ଼ ଦୁର୍ବଳ ହେଲେ ସାମାନ୍ୟ ଆଘାତରେ ମଧ୍ୟ ଏହା ଭାଙ୍ଗିଯିବାର (ଫ୍ରାକ୍ଚର) ଭୟ ଥାଏ। ତେଣୁ ସମୟ ଥାଉଁ ଥାଉଁ ହାଡ଼କୁ ମଜଭୁତ କରିବା ପାଇଁ ସଠିକ୍ ପଦକ୍ଷେପ ନେବା ନିହାତି ଜରୁରୀ। ତେବେ ଦୁର୍ବଳ ହାଡକୁ କିପରି ମଜଭୁତ କରିବା ସେ ବିଷୟରେ ଜାଣିବା।
କ୍ୟାଲସିୟମଯୁକ୍ତ ଖାଦ୍ୟ :
କ୍ୟାଲସିୟମ୍ ହାଡକୁ ମଜଭୁତ କରିଥାଏ। କ୍ଷୀର, ଦହି, ପନିର, ସବୁଜ ପତ୍ରଯୁକ୍ତ ପରିବା ଓ ବାଦାମ ଭଳି ଖାଦ୍ୟ ପଦାର୍ଥରେ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ରହିଛି। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ।
ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ଖାଆନ୍ତୁ : ଯଦି ଶରୀରରେ ଭିଟାମିନ୍-ଡି’ର ମାତ୍ରା କମ୍ ରହିଛି ତେବେ ଜାଣନ୍ତୁ କ୍ୟାଲସିୟମ୍ ଠିକ୍ ଭାବରେ କାମ କରୁନାହିଁ ଓ ଏଥିଯୋଗୁ ମଧ୍ୟ ହାଡ ଦୁର୍ବଳ ହେଉଛି। ତେବେ ଏଥିପାଇଁ ମାଛ, ଅଣ୍ଡା ଓ ଭିଟାମିନ୍-ଡି’ରେ ପରିପୂର୍ଣ୍ଣ ଖାଦ୍ୟ ପ୍ରଚୁର ମାତ୍ରାରେ ଖାଆନ୍ତୁ।
ବ୍ୟାୟାମ କରନ୍ତୁ :
ହାଡ ମଜଭୂତ ହେବା ପାଇଁ ଏକ୍ସରସାଇଜର ନିହାତି ଆବଶ୍ୟକତା ରହିଛି । ବ୍ୟାୟାମ କରିବା ଦ୍ୱାରା କେବଳ ହାଡ ମଜଭୁତ ହୁଏ ତାହାନୁହେଁ, ବରଂ ମସଲ୍ସ ମଧ୍ୟ ଶକ୍ତ ହୁଏ। ବିଶେଷ କରି ଓଜନିଆ ଜିନିଷ ଉଠାଇବା ଭଳି ଏକ୍ସରସାଇଜ୍ କରିବା, ଦୌଡିବା, ସ୍ଫୁଟ୍ସ ଓ ଷ୍ଟ୍ରେଚିଂ କରନ୍ତୁ ହାଡ ମଜଭୁତ ହେବ।
ହେଲଦୀ ଫୁଡ୍ ନିଅନ୍ତୁ:
ହାଡକୁ ମଜଭୁତ କରିବା ଲାଗି କ୍ୟାଲସିୟମ, ଭିଟାମିନ-ଡି, ବ୍ୟତୀତ ମିନେରାଲ୍ସର ମଧ୍ୟ ନିହାତି ଆବଶ୍ୟକତା ରହିଛି। ଏତଦବ୍ୟତୀତ ମ୍ୟାଗ୍ନେସିୟମ, ଫସଫରସ୍ ଓ ଜିଙ୍କକୁ ମଧ୍ୟ ସଠିକ୍ ମାତ୍ରାରେ ସେବନ କରନ୍ତୁ । ଏହା ସହିତ ସବୁଜ ପନି ପରିବା, ଫଳ, ନଟସ୍ ଓ ଡାଲିରେ ପୋଷକ ତତ୍ତ୍ୱ ପରିପୂର୍ଣ୍ଣ ହୋଇ ରହିଛି, ଯାହା ହାଡକୁ ସୁସ୍ଥ ରଖିଥାଏ।
ଧୂମ ପାନ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ:
ଧୂମପାନ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ। କାରଣ ଏହା ନାମ ମଧ୍ୟ ହାଡକୁ ଦୁର୍ବଳ କରିଦେଇଥାଏ। ଏହା କ୍ୟାଲସିୟମ୍ ଅବଶୋଷଣକୁ ରୋକିଥାଏ ଓ ହାଡ ବଢ଼ିବାରେ ବାଧା ଉପୁଜାଇଥାଏ। ମଦ କ୍ୟାଲସିୟମ ଉପରେ ଖରାପ ପ୍ରଭାବ ରାଜ ପକାଇ ତା’ର ସମସ୍ତ ତତ୍ତ୍ୱ ନଷ୍ଟ କରିଦେଇଥାଏ।
ଅଧିକ ପାଣି ପିଅନ୍ତୁ:
ପାଣି ଆମ ଶରୀରର ସମସ୍ତ ଅଙ୍ଗ ଲାଗି ଜରୁରୀ। ପାଣି ମଧ୍ୟ ହାଡକୁ ଶକ୍ତ କରିବାରେ ସହାୟକ ହୋଇଥାଏ। ତେଣୁ ପ୍ରତିଦିନ ୮-୧୦ ଗ୍ଲାସ ପାଣି ଯେମିତି ହେଲେ ପିଅନ୍ତୁ। ଏହା ଶରୀରକୁ ହାଇଡ୍ରେଟେଡ୍ ରଖିବା ସହିତ ହାଡକୁ ମଜଭୁତ କରିଥାଏ।
ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:
ଯଦି ହାଡ ଖୁବ ଦୁର୍ବଳ ରହିଛି। ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏସହ ଔଷଧ ଓ ହେଲଦୀ ଖାଦ୍ୟ ଖାଆନ୍ତୁ।


