ଚଣ୍ଡୀଗଡ଼: ଚଣ୍ଡୀଗଡ ପିଜିଆଇରେ ଜଣେ ଛଅ ମାସର ଶିଶୁ କନ୍ୟାଠାରେ କରୋନା ପଜିଟିଭ୍ ମିଳିବା ପରେ ଏହି ମେଡିକାଲ ଇନ୍ଷ୍ଟିଚ୍ୟୁଟ୍ ର 54 ଜଣ ସ୍ବାସ୍ଥ୍ୟକର୍ମୀ କ୍ବାରେଣ୍ଟାଇନରେ ରହିଛନ୍ତି । ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚରେ ଜଣେ 6 ମାସର ଶିଶୁ କନ୍ୟା ହାର୍ଟ ସର୍ଜରୀ କରିବା ପାଇଁ ଭର୍ତ୍ତି ହୋଇଥିଲେ । ବୁଧବାର ଦିନ ଶିଶୁଟି କରୋନା ସଂକ୍ରମିତ ହେବାର ଜଣାପଡିବା ପରେ ସ୍ବାସ୍ଥ୍ୟକର୍ମୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ 18 ଜଣ ଡାକ୍ତର ଓ 36 ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି ।
ଏପ୍ରିଲ ୯ରେ ପଞ୍ଜାବର ଫାଗୱାରାର ଏହି 6 ମାସର ଶିଶୁକନ୍ୟାକୁ ଚିକିତ୍ସା ପାଇଁ ପେଡିଆଟ୍ରିକ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଓପନ ହାର୍ଟ ସର୍ଜରୀ ହେବାର ଥିଲା। ସର୍ଜରୀ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଶିଶୁଟି ଜନ୍ମରୁ ଏହି ରୋଗରେ ପୀଡ଼ିତ ଥିଲା । ନିଃଶ୍ବାସ ନେବାରେ ସେ କଷ୍ଯ ଅନୁଭବ କରୁଥିଲେ । ପୂର୍ବରୁ ଶିଶୁକନ୍ୟାଟି ଲୁଧିଆନାର ଏକ ଘରୋଇ ହସ୍ପିଟାଲରେ 36 ଦିନ ରହି ଚିକିତ୍ସିତ ହେଉଥିଲେ। ସ୍ଥିତିରେ ସୁଧାର ନ ଆସିବାରୁ ତାଙ୍କୁ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ତାଙ୍କର ସର୍ଜରୀ ହେବାର ଥିଲା ।
ଏପ୍ରିଲ୍ 21 ତାରିଖ ଦିନ ଶିଶୁଟିର କରୋନା ପଜିଟିଭ୍ ସୂଚନା ଆସିବା ପରେ ତାଙ୍କୁ ନେହେରୁ ହସ୍ପିଟାଲ୍ ଏକ୍ସଟେନସ୍କୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଶିଶୁଟି ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଯାଞ୍ଚ ହେବା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ବାରେଣ୍ଟାଇନ୍କୁ ପଠାଯାଇଛି । ତେବେ ଶିଶୁଟି କିପରି କରୋନା ସଂକ୍ରମିତ ହେଲେ ସେନେଇ କିଛି ସୂଚନା ମିଳିପାରି ନାହିଁ । ଶିଶୁଟିର ଟ୍ରାଭେଲ୍ ହିଷ୍ଟ୍ରି ନଥିବାବେଳେ ଡାକ୍ତର ଏହି ମାମଲାକୁ ଗୁରୁତ୍ବର ସହ ଯାଞ୍ଚ କରୁଛନ୍ତି । (ଏଜେନ୍ସି)