ସୀତାରାମ ଅଗ୍ରୱାଲ
ଚିଲିକା: ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସିଥିବା ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ କୁହୁଡି ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ ଡ୍ରାଇଭର ଏମ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଆଜି ଭୋର ୪ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର କୁହୁଡି ଛକରେ ବସ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ହସପିଟାଲ ପହଞ୍ଚାଇଥିଲେ। ତେବେ ହସ୍ପିଟାଲରେ ଡାକ୍ତର ଡ୍ରାଇଭର ଏମ ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ପ୍ରବାସୀ ଯାତ୍ରୀମାନଙ୍କୁ ଅନ୍ୟ ଗାଡିରେ ନିଜ ନିଜ ଗନ୍ତବ୍ୟସ୍ତଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବସ୍ଟିରେ ପ୍ରାୟ ୪୦ ଜଣ ଯାତ୍ରୀ ରହିଥିବାର ସୂଚନା ରହିଛି। ଦୁର୍ଘଟଣାରେ ବସ୍ର ସମ୍ମୁଖଭାଗଟି କ୍ଷତିଗ୍ରସ୍ତ ହୋଇଛି।
ଏହି ବସଟି ହାଇଦ୍ରାବାଦରୁ ଖୋର୍ଦ୍ଧା ଆସୁଥିବାବେଳେ ବସ୍ରେ ଥିବା ପ୍ରବାସୀମାନେ ନିମାପଡା, ପିପିଲି, ବାଙ୍କୀ ଓ କେନ୍ଦ୍ରାପଡା ଅଞ୍ଚଳ ବୋଲି ଜଣାପଡିଛି । ଗତକାଲି ଭୋରରୁ ଏହି ବସ୍ଟି ହାଇଦ୍ରାବାଦରୁ ଓଡିଶା ଅଭିମୁଖେ ବାହାରିଥିଲା। ଏହି ଘଟଣାକୁ ମିଶାଇ ୪ଟି ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ ହୋଇସାରିଛି। ସୁରତରୁ ଓଡିଶା ଫେରୁଥିବା ଦୁଇଟି ବସ ପୃଥକ ପୃଥକ ଘଟଣାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଦୁଇଟି ବସ ଦୁର୍ଘଟଣା ହୋଇ ଦୁଇ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହାପରେ ରାଜ୍ୟ ପରିବହନ ବିଭାଗ ବସ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ। ତଥାପି ଆଜି ପୁଣି ଏକ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ର ଡ୍ରାଇଭର ଅନ୍ୟ ରାଜ୍ୟର ହୋଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି।