ସୀତାରାମ ଅଗ୍ରୱାଲ
ବାଣପୁର: ପ୍ରେମ ବିବାହ କରିଥିବା ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ତେବେ ମହିଳା ଜଣଙ୍କୁ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଥିଲା। ସମ୍ପ୍ରତି ମହିଳାଙ୍କ ହତ୍ୟା ନା ଆତ୍ମହତ୍ୟା ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଚାଲିଛି।
ମିଳିଥିବା ସୂଚନା ଅନୁସାରେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ବାଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ବ୍ୟବସାୟୀ ନନ୍ଦକିଶୋର ମିଶ୍ରଙ୍କ ସାନପୁଅ ରଜତ୍ ପୁରୀ ସହରର ସତ୍ୟନାରାୟଣ ମହାପାତ୍ରଙ୍କ ସାନଝିଅ ଅନୀତାଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ସମୟରେ ଯୌତୁକ ଆଣିନଥିବାରୁ ଅନୀତାଙ୍କୁ ତାଙ୍କ ଶାଶୁ ଘର ଲୋକେ ଗ୍ରହଣ ନକରୁଥିବାର ଅଭିଯୋଗ କରିଛନ୍ତି ଅନୀତାଙ୍କ ପରିବାର। ଯୌତୁକ ବାବଦକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ ରଜତଙ୍କ ପରିବାର। ଦାବି ମୁତାବକ ଟଙ୍କା ଆଣିଲେ ଅନୀତାଙ୍କୁ ଘରେ ରଖାଯିବ ବୋଲି ତାଙ୍କ ଶଶ୍ବରୁ କହିଥିଲେ। ଏହା ପରେ ରଜତ ଓ ଅନୀତା ଶାଶୁ ଘରେ ନ ରହି ଅନ୍ୟତ୍ର ରହୁଥିଲେ। ଏହା ମଧ୍ୟରେ ଦୁହିଁଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ପୁଅ ଜନ୍ମ ହେବା ପରେ ଅନୀତାଙ୍କ ପିତା ଅନୀତାଙ୍କ ଶଶୁରଙ୍କୁ ପୁଅ ବୋହୂଙ୍କୁ ଘରକୁ ଫେରାଇ ନେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ଟଙ୍କା ନ ଦେଲେ ସେ ନେବେ ନାହିଁ ବୋଲି କହିବାରୁ ଅନୀତାଙ୍କ ପିତା ସତ୍ୟନାରାୟଣ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଅନୀତାଙ୍କୁ ସେମାନେ ଶାଶୁ ଘରକୁ ନେଇଥିଲେ। ତେବେ ଅନୀତାଙ୍କୁ ଯୌତୁକ ଟଙ୍କା ଦେବା ପାଇଁ ଚାପ ପ୍ରୟୋଗ କରୁଥିବାବେଳେ ଟଙ୍କା ନ ଦେଲେ ଜୀବନରୁ ମାରିଦେବେ ବୋଲି ଅନୀତା ତାଙ୍କ ପିତାଙ୍କୁ କହିଥିଲେ। ଏପରି ପରିସ୍ଥିତରେ ଗୁରୁବାର ରାତିରେ ଗୁରୁତର ଅବସ୍ଥାରେ ଅନୀତାଙ୍କୁ ଘର ପଙ୍ଖାରୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରାଯାଇ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ଅନୀତାଙ୍କ ସ୍ବାମୀ ରଜତ କହିଛନ୍ତି ଯେ, ଦୁହିଁଙ୍କ ମଧ୍ୟରେ ପାଟି ତୁଣ୍ଡ ହେବାରୁ ସେ ରାଗରେ ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷରେ ଅନୀତାଙ୍କ ପିତା ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରି ଫଙ୍ଖାରେ ଟାଙ୍ଗି ଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି। ବାଣପୁର ପୋଲିସ୍ ଅନୀତାଙ୍କ ପିତାଙ୍କ ଅଭିଯୋଗ ଭିତ୍ତିରେ ଅନୀତାଙ୍କ ସ୍ବାମୀ ରଜତଙ୍କୁ ଗିରଫ କରିଥିବାବେଳେ ଅନୀତାଙ୍କ ଶାଶୁ ଓ ଶଶୁର ଫେରାର ରହିଛନ୍ତି।
ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲେ ଅନୀତାଙ୍କ ମୃତ୍ୟୁର କାରଣ ଜଣା ପଡିବ ବୋଲି କହିଛନ୍ତି ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ।
ଅନୀତାଙ୍କ ପରିବାର ଲୋକେ ଯୌତୁକ ପାଇଁ ତାଙ୍କ ଝିଅର ହତ୍ୟା କରାଯାଇଥିବାର ଅଭିଯୋଗ କରୁଥିବାବେଳେ ମୃତ ଅନୀତାଙ୍କ ସ୍ବାମୀ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପରେ ଅନୀତାଙ୍କ ମୃତ୍ୟୁ ରହସ୍ୟରୁ ପର୍ଦ୍ଦା ଉଠିବ ।