କାଲିଠାରୁ ଭାରତରୁ ଫ୍ରାନ୍ସ ଓ ଆମେରିକାକୁ ଉଡିବ ବିମାନ, ଦୁଇ ଦେଶ ସହ “ଏୟାର ବବଲ୍ସ”

Published: Jul 16, 2020, 9:33 pm IST

ନୂଆଦିଲ୍ଲୀ, ଆସନ୍ତାକାଲି ଠାରୁ ଭାରତରୁ ଫ୍ରାନ୍ସ ଏବଂ ଆମେରିକାକୁ ବିମାନ ଉଡାଣ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହା ଘୋଷଣା କରିଛନ୍ତି। ଦୁଇ ଦେଶ ସହ “ଏୟାର ବବଲ୍ସ” ଘୋଷଣା କରିଛି ଭାରତ। ଏୟାର ବବଲ୍ସ ହେଉଛି ଏକ ଦ୍ୱିପାକ୍ଷିକ ବ୍ୟବସ୍ଥା ଯାହା ଦ୍ବାରା କିଛି ନିୟମ ଏବଂ ପ୍ରତିବନ୍ଧକ ସହିତ ଦୁଇ ଦେଶର ବିମାନ କମ୍ପାନି ଅନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବେ। ଏବେ ଭାରତ ଫ୍ରାନ୍ସ ଏବଂ ଆମେରିକା ସହ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିଛି।

ଏହି ଦ୍ୱିପାକ୍ଷିକ ଚୁକ୍ତିନାମାରେ ଭାରତରୁ ଏହି ଦୁଇ ଦେଶକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବା ସହ ଦୁଇ ଦେଶରୁ ବିମାନ ଭାରତକୁ ଉଡ଼ାଣ କରି ପାରିବ। ଏହା ସହ ଜର୍ମାନୀ ଏବଂ ବ୍ରିଟେନକୁ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଚାଲିଛି ବୋଲି ‌ପୁରୀ କହିଛନ୍ତି।

ଜୁଲାଇ ୧୭ରୁ ଜୁଲାଇ ୩୧ ମଧ୍ୟରେ ଆମେରିକାର କ୍ୟାରିଅର ୟୁନାଇଟେଡ୍ ଏୟାରଲାଇନ୍ସ ଭାରତ ଏବଂ ଆମେରିକା ମଧ୍ୟରେ ୧୮ଟି ବିମାନ ଚଳାଚଳ କରିବା ସହ ଜୁଲାଇ ୧୮ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ଫ୍ରାନ୍ସର ଏୟାର ଫ୍ରାନ୍ସ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ପ୍ୟାରିସ ମଧ୍ୟରେ ୨୮ଟି ବିମାନ ଚଳାଚଳ କରିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ହରଦୀପ ସିଂ ପୁରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାର ୟୁନାଇଟେଡ୍ ଏୟାରଲାଇନ୍ସ ଦିଲ୍ଲୀ ଏବଂ ନ୍ୟୁର୍ୟକ ମଧ୍ୟରେ ସବୁଦିନ ଚଳାଚଳ କରିବା ସହ ଦିଲ୍ଲୀ-ସାନ ଫ୍ରାନ୍ସିସ୍କୋ ମଧ୍ୟରେ ସପ୍ତାହରେ ତିନିଥର ଚଳାଚଳ କରିବ।

Related posts