
ନୂଆଦିଲ୍ଲୀ, ମୋଟର ଯାନ ଆଇନ, ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅଧୀନରେ ଫିଟନେସ୍, ପରମିଟ୍, ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟ ଡକ୍ୟୁମେଣ୍ଟର ବୈଧତାକୁ ୨୦୨୦ ଡିସେମ୍ବର ୩୧ ଯାଏଁ ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ମୋଟର ଯାନ ଆଇନ, ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ସହ ଜଡ଼ିତ ଡକ୍ୟୁମେଣ୍ଟର ବୈଧତା ସମ୍ପ୍ରସାରଣ ନେଇ ମନ୍ତ୍ରଣାଳୟ ମାର୍ଚ୍ଚ ୩୦ ଓ ଜୁନ୍ ୯ରେ ଆଦେଶନାମା ଜାରି କରିଥିଲା । ଏଥିରେ କୁହାଯାଇଥିଲା ଫିଟନେସ୍, ପରମିଟ୍ (ସମସ୍ତ ପ୍ରକାର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏହାସହ ଜଡ଼ିତ ଅନ୍ୟ ଡକ୍ୟୁମେଣ୍ଟକୁ ୨୦୨୦ ସେପ୍ଟେମ୍ବର ୩୦ ଯାଏଁ ବୈଧ ଭାବେ ବିବେଚନା କରାଯିବ ।
ସାରା ଦେଶରେ କୋଭିଡ୍-୧୯ ସଂକ୍ରମଣ ଜାରି ରହିଥିବାରୁ ଏହାର ମୁକାବିଲା ଉଦ୍ଦେଶ୍ୟରେ ଉପରୋକ୍ତ ସମସ୍ତ ଡକ୍ୟୁମେଣ୍ଟର ବୈଧତାକୁ ପୁନଶ୍ଚ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ଅଧୀନରେ ଲକଡାଉନ୍ କାରଣରୁ ଯେଉଁସବୁ ଡକ୍ୟୁମେଣ୍ଟର ବୈଧତା ସମ୍ପ୍ରସାରଣ ହୋଇପାରିନାହିଁ ଏବଂ ୨୦୨୦ ଫେବ୍ରୁଆରୀ ୧ ପରଠାରୁ ଏକ୍ସପାଏରୀ ହୋଇଯାଇଥିବା କିମ୍ବା ୨୦୨୦ ଡିସେମ୍ବର ୩୧ ସୁଦ୍ଧା ଏକ୍ସପାଏରୀ ହେବାକୁ ଯାଉଥିବା ସମସ୍ତ ଡକ୍ୟୁମେଣ୍ଟକୁ ୨୦୨୦ ଡିସେମ୍ବର ୩୧ ଯାଏଁ ବୈଧ ଭାବେ ବିବେଚନା କରାଯିବ । ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଏଭଳି ଡକ୍ୟୁମେଣ୍ଟକୁ ୨୦୨୦ ଡିସେମ୍ବର ୩୧ ପର୍ୟ୍ୟନ୍ତ ବୈଧ ଭାବେ ବିଚାର କରିବେ ବୋଲି ପରାମର୍ଶ ଦିଆଯାଇଛି ।
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଏହି ପଦକ୍ଷେପ ଦେଶର ନାଗରିକଙ୍କୁ ପରିବହନ ସମ୍ପର୍କିତ ସେବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।