ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଗୁଳି ବିନିମୟ, ହତ୍ୟା, ରାହାଜାନି, ଦୁଷ୍କର୍ମ ପରି ଘଟଣା ବଢିବାରେ ଲାଗିଛି । ଏହାକୁ ନେଇ ବିରୋଧୀ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଉତ୍ତରପ୍ରଦେଶରେ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ବଲିଆ ଅଂଚଳରେ ଜଣେ ଟିଭି ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ସାମ୍ବାଦିକ ଜଣକ 42 ବର୍ଷୀୟ ରତନ ସିଂ ବୋଲି ସୂଚନାରହିଛି । ସେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ରେ କାର୍ଯ୍ୟ କରୁଥିବାର ସୂଚନା ରହିଛି । ତେବେ ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଗତକାଲି ରାତ୍ରି 9ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟାରେ ସାମିଳ୍ ହୋଇଥିବା ତିନିଜଣ ଯୁବକକୁ ପୋଲିସ୍ ଗିରଫ କରିଛି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତ ସାମ୍ବାଦିକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ 10 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଅପରପକ୍ଷରେ ଉତ୍ତରପ୍ରଦେଶରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଯୋଗୁଁ ଯୋଗୀ ସରକାରଙ୍କୁ ବିରୋଧୀ ସମାଲୋଚନା କରିଛନ୍ତି । ଅଖିଳେଶ ଯାଦବ, ମାୟାବତୀ ଓ ପ୍ରିୟଙ୍କା ଗାନ୍ଧି ଏନେଇ ଯୋଗୀ ସରକାରଙ୍କ ଉପରେ ବର୍ଷିବା ସହିତ ସାମ୍ବାଦିକଙ୍କ ହତ୍ୟା ତଥା ଅନ୍ୟ ଅଞ୍ଚଳରେ ହୋଇଥିବା ଗୁଳି ବିନିୟମ ଉପରେ ଜବାବ ମାଗିଛନ୍ତି । (ଏଜେନ୍ସି)