ରାଜସ୍ଥାନ : ଉତ୍ତରପ୍ରଦେଶର ହାଥରସ୍ ଯୁବତୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ରାଜସ୍ଥାନରେ ଚାଲିଥିବା ଏକ ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ ହୋଇଛି । ଏହି ଘଟଣାରେ ବିଜେପି ଓ କଂଗ୍ରେସ ନେତ୍ରୀ ମିଳିତ ଭାବରେ ସାମିଲ୍ ହୋଇଥିବାର ଅଭିଯୋଗ ରହିଛି । ରାଜସ୍ଥାନର ସାୱାଇ ମାଧୋପୁର ଅଞ୍ଚଳରେ ଏପରି ଏକ ଘଟଣା ଧରାପଡ଼ିବା ପରେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ନେତ୍ରୀ ନାବାଳିକାମାନଙ୍କୁ ନିଜ ଜାଲରେ ଫସାଇ ଏପରି କଦର୍ଯ୍ୟ କାର୍ଯ୍ୟ କରାଉଥିଲେ । ଏଥିରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଉ ଥିବାର ଅଭିଯୋଗ ହୋଇଛି। ଏହି ନାବାଳିକା ଜଣଙ୍କୁ ଅନେକ ଲୋକ ଶୋଷଣ କରିଥିବାର ମଧ୍ୟ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କୁ ଉପଭୋଗ କରିବା ପାଇଁ ଦଳର ନେତାମାନଙ୍କ ପାଖକୁ ପଠାଉଥିଲେ ଏହି ନେତ୍ରୀ। ଏଥିରେ ବିଜେପି ମହିଳା ମୋର୍ଚ୍ଚାର ଜଣେ ଜିଲ୍ଲା ସଭାନେତ୍ରୀ ଏବଂ କଂଗ୍ରେସ ସେବା ଦଳର ଜିଲ୍ଲା ସଭାନେତ୍ରୀ ଜଡ଼ିତ ଥିଲେ। ଚଢ଼ାଉ ପରେ କଂଗ୍ରେସ ନେତ୍ରୀ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ବିଜେପି ନେତ୍ରୀଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଛି । ବିଜେପି ନେତ୍ରୀଙ୍କ ସହିତ ଏହି ଘଟଣାରେ କଲେକ୍ଟର, ଇଲେକ୍ଟ୍ରିସିଆନ୍ ମଧ୍ୟ ଏହି ଘଟଣାରେ ସାମିଲ୍ ରହିଥିବାର ସୂଚନା ରହିଛି ।
ପୀଡ଼ିତା ନାବାଳିକାଙ୍କ କହିବାନୁସାରେ ବିଜେପି ଓ କଂଗ୍ରେସର ଏହି ଦୁଇ ନେତା ଜିଲ୍ଲାସ୍ତରରେ ରାଜ୍ୟର ଅନ୍ୟ ବଡ ବଡ ନେତାଙ୍କ ସହ ମିଶି ଏକ ବଡଧରଣର ରାକେଟ୍ ଚଲାଉଛନ୍ତି । ଏହା ଜରିଆରେଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ଯୁବତୀ ଚାଲାଣ କରାଯାଉଛି । ବିଜେପିର ମହିଳା ନେତ୍ରୀ ଜଣକ କିଛି ଦିନ ପୂର୍ବେ ନିଜ ସୋସିଆଲ ଆକାଉଣ୍ଟରେ ରାଜନୀତିରେ ବହୁ ସଂଖ୍ୟାରେ ଚରିତ୍ରହୀନ ଲୋକେ ସାମମିଲ୍ ରହିଥିବାର ଉଲ୍ଲେଖ କରିଥିଲେ । ଏପରିକି ସମୟ ଆସିଲେ ସେମାନଙ୍କ ନାମ ପ୍ରକାଶ କରିବେ ବୋଲି ଉଲ୍ଲେଖ କରିଥିଲେ । ତେବେ ଏହି ଘଟଣାର ଯାଞ୍ଚ ପୋଲିସ୍ ଜାରି ରଖିଛି । (ଏଜେନ୍ସି)