ବିଜେପିରେ ବଢୁଛି ଅସନ୍ତୋଷ, ଦଳ ଛାଡିବେ ଦଶରୁ ଉର୍ଦ୍ଧ୍ବ ବିଧାୟକ !

Published: Dec 17, 2020, 1:25 pm IST

ମୁମ୍ବାଇ : କ୍ଷମତାର ରାଜନୀତିରେ କିଏ କେତେବେଳେ କେଉଁଆଡେ ଢଳିପଡେ ତାହା ଜଣାପଡେ ନାହିଁ । କେନ୍ଦ୍ରର ସତ୍ତାଧାରୀ ବିଜେପି ଅଧୁନା ସବୁ ରାଜ୍ୟରେ ନିଜର ଦବ୍‌ଦବା ଜାରି ରଖିଥିବାବେଳେ ମହାରାଷ୍ଟ୍ରରେ ଦୁର୍ବଳ ହେଉଥିବା ଭଳି ପ୍ରତୀତ ହେଉଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବାଜି ଜିତିଥିବା ସତ୍ତ୍ବେ କ୍ଷମତାରୁ ଦୂରେଇ ରହିବାକୁ ପଡିଲା । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ବିଜେପିର 10ରୁ ଅଧିକ ବିଧାୟକ ଦଳ ଉପରେ ନାରାଜ ହୋଇ ଦଳ ଛାଡିବାକୁ ଚାହୁଁଛନ୍ତି ।  ଏନେଇ ସୂଚନା ଦେଇଛନ୍ତି ଏନ୍‌ସିପି ମୁଖ୍ୟ ତଥା ଉଦ୍ଧବ ଠାକ୍‌ରେ ସରକାରଙ୍କ ମନ୍ତ୍ରୀ ଜୟନ୍ତ ପାଟିଲ୍‌ ।  ବିଜେପିରେ ଅସନ୍ତୋଷ ବୃଦ୍ଧି ପାଉଛି । ଏବଂ ଏହି ବିଧାୟକମାନଙ୍କୁ ଭବିଷ୍ୟତରେ ଏନ୍‌ସିପିରେ ସାମିଲ୍‌ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଜୟନ୍ତ ପାଟିଲ୍‌ ।

ମହାରାଷ୍ଟ୍ରରେ କ୍ଷମତାସୀନ ସରକାର ମହାବିକାଶ ଅଘାଡି ଦଳର ଅନ୍ୟତମ ଅଂଶ ହେଉଛି ଏନ୍‌ସିପି । ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି, କଂଗ୍ରେସ ମେଣ୍ଟ କରି ସରକାର ଗଠନ କରିଛନ୍ତି । ରାଜ୍ୟରେ ବିଜେପି ବିରୋଧୀର ଭୂମିକା ନିଭାଉଛି ।

ପାଟିଲ୍‌ କହିଛନ୍ତି ଯେ, ବିଜେପିର 10ରୁ ଅଧିକ ବିଧାୟକ ଦଳର ବ୍ୟବସ୍ଥାକୁ ନେଇ ବିବ୍ରତ ରହିଥିବାବେଳେ ଅସନ୍ତୁଷ୍ଟ ହୋଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ବିଜେପିର ନେତା ଏକନାଥ ଖଡ୍‌ସେ ଓ ଜୟସିଂହ ଗାୟକଓ୍ବାଡ ଗେରୁଆ ଦଳ ଛାଡି ଏନ୍‌ସିପିରେ ସାମିଲ୍‌ ହୋଇଛନ୍ତି ।

ଅପରପକ୍ଷରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର କହିଛନ୍ତି ଯେ,ଏନ୍‌ସିପି ଏବେ ପଶ୍ଚିମ ମହାରାଷ୍ଟ୍ରରେ ନିଜଦଳର ଆଧାରକୁ ମଜବୁତ୍‌ କରିବାର ଆବଶ୍ୟକତା ରହିଛି । ଯଦି ବିରୋଧୀ ଦଳ ମଧ୍ୟରୁ କେହି ଇସ୍ତଫା ଦେଇ ଏନ୍‌ସିପି, ଶିବସେନା ବା କଂଗ୍ରେସରେ ମିଶୁଛନ୍ତି, ତେବେ ବାକି ଅନ୍ୟ ଦୁଇ ଦଳ ବିଜେପି ବିରୋଧୀରେ  ପ୍ରାର୍ଥୀଙ୍କୁ ସମର୍ଥନ କରିବେ ।

ସୂଚନାଯୋଗ୍ୟ, 288 ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାବିକାଶ ଅଘାଡି ଦଳ ପାଖରେ 169ଜଣ ବିଧାୟକ ରହିଛନ୍ତି । ଏହି ସମସ୍ତ ବିଧାୟକଙ୍କ ମଧ୍ୟରୁ ଶିବସେନାର 57ଜଣ, ଏନସିପିର 53, କଂଗ୍ରେସ 44 ଜଣ ଓ ଅନ୍ୟ ଦଳର 15 ଜଣ ବିଧାୟକ ରହିଛନ୍ତି। ସେହିପରି ବିରୋଧୀ ଦଳ ଏନ୍‌ଡିଏ ପାଖରେ 114 ଜଣ ସଦସ୍ୟ ରହିଛି । ତେବେ ଏଠାରେ ସବୁଠୁ ଅଧିକ ବିଧାୟକ 105 ଜଣ ବିଜେପି ପାଖରେ ରହିଛି । (ଏଜେନ୍ସି)

Related posts