ସ୍କୁଟି ପଛରୁ ପିଟିଲା ଟ୍ରକ୍: ଜଣେ ମୃତ, ଜଣେ ଗୁରୁତର

Published: Dec 31, 2020, 5:00 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନୂଆଁ ବରଷ ହେଉଛି ଆନନ୍ଦ ଓ ଉଲ୍ଲାସର ବର୍ଷ। ନୂଆଁ ବରଷ ଆସିଲେ ସଭିଙ୍କ ମନରେ ଖୁସି କାହିଁରେ କଣ। ହେଲେ ନୂଆଁ ବର୍ଷର କିଛି ସମୟ ଆଗରୁ ଯେ, ଯୁବକଟି ଚାଲିଯିବ ଆରପାରିକି କେବେ ବି କଳ୍ପନା କରି ନ ଥିଲା। ଏଭଳି ଏକ ଅଭାବନୀୟ ରାସ୍ତା ଦୁର୍ଘଟଣାରେ ଜଣେ ଯୁବକ ଆଜି ସକାଳୁ ସକାଳୁ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ଘଟଣା ଘଟିଛି ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମରେ।

ପ୍ରକାଶ ଯେ, ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମର ଲୁହୁରାପଡା ଠାରେ ସକାଳ ୮.୩୦ ମିନିଟ୍ ସମୟରେ ନାକଟିଦେଉଳ ପଟୁ ରେଢାଖୋଲକୁ କୌଣସି କାମରେ ସ୍କୁଟିରେ(ଓଡି୧୫ପି-୬୨୬୪) କଂଚନପୁର ଗ୍ରାମର ଜୟନ୍ତ ପାତ୍ର ଏବଂ ମହୁକୁଦ ଗ୍ରାମର ସୁରେଶ ବେହେରା (୩୭) ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ପଛ ପଟୁ ପିଟି ଥିଲା। ସ୍କୁଟି ଚାଳକ ଜୟନ୍ତ ପାତ୍ର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସୁରେଶ କୁମାର ବେହେରା ଗୁରୁତର ଆହତ ହୋଇ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତ ସ୍କୁଟି ଚାଳକ ଜୟନ୍ତ ପାତ୍ରର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏବଂ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଟ୍ରକଟି ସେମାନଙ୍କୁ ପିଟି ଫେରାର ହେବାରେ ସକ୍ଷମ ହୋଇଛି। ନାକଟିଦେଉଳ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ସୁରେଶକୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ନାକଟିଦେଉଳ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ନାକଟିଦେଉଳ ଥାନାରେ ଏକ ମାମଲା ରୁଜୁ କରିଛି ପୋଲିସ୍।

Related posts