୨୭ଟି ଜିଲ୍ଲା ପାଇଁ ଆଉ ୮୪ ଟି ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ

Published: Jan 1, 2021, 12:27 pm IST

ଭୁବନେଶ୍ୱର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ୨୭ଟି ଜିଲ୍ଲା ପାଇଁ ୮୪ଟି ଆମ୍ବୁଲାନ୍ସ ଲୋକାର୍ପିତ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି। ତନ୍ମଧ୍ୟରୁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ ବୋଲି ଜଣାଯାଇଛି।

ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି ।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟର ମାଗଣା ୧୦୮ଆମ୍ବୁଲାନ୍ସ ସେବା ୨୦୧୩ ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ଜିଲ୍ଲାରେ ୬ଟି ବୋଟ ଆମ୍ବୁଲାନ୍ସ ସମେତ ମୋଟ ୫୧୮ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି। ଏତଦବ୍ୟତୀତ ରାଜ୍ୟରେ ଗର୍ଭବତୀ ମା ଓ ଶିଶୁଙ୍କ ପାଇଁ ୫୦୦ଟି ଜନନୀ ଏକ୍ସପ୍ରେସ କାର୍ଯ୍ୟକ୍ଷମ ଅଛି।

Related posts