ନାଚୁଣୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଲିସ କର୍ମଚାରୀଙ୍କ ପତ୍ନୀ ମୃତ, ଚାରି ଗୁରୁତର

Published: Jan 10, 2021, 4:25 pm IST

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ  ଆଜି ଅପରାହ୍ନରେ ପୋଲିସ ଟ୍ରେନିଂ ସ୍କୁଲ, ନୟାଗଡର ଦୁଇ ଜଣ କର୍ମଚାରୀ ନିଜ  ପରିବାର ସହ ଚିଲିକା ଭ୍ରମଣ ପାଇଁ  ଆସିଥିଲେ। ସେମାନେ ସମୁଦାୟ ୫ ଜଣ ଏକ ଟାଟା ନାନୋ କାର ଯୋଗେ ବୁଲିବାକୁ ଆସିଥିଲେ। ହେଲେ ଭ୍ରମଣ ସାରି ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ସେମାନଙ୍କ କାରଟି ଅପରାହ୍ନ ୩ ଘଟିକାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନଙ୍କର ନାନୋ କାରଟି ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ମହିଳା ଜଣକ ହେଲେ ବୈଜୟନ୍ତୀ ପଟ୍ଟନାୟକ (୫୨)।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଁଚି ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଯୋଗେ ଆହତଙ୍କୁ ଉଦ୍ଧାର କରିଥିଲେ। ଏହା ସହ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡ଼ିକାଲକୁ ପଠାଇଛନ୍ତି। ଆହତ ଚାରିଜଣ ହେଲେ ଏ ସନ୍ତୋଷ କୁମାର, ଏ ଜ୍ୟୋତି, ଏ ଦିନେଶ କୁମାର ଏବଂ ସାଧୁ ଚରଣ ପଟ୍ଟନାୟକ।

ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ଏସ.ଆଇ ପ୍ରସନ୍ନ ଜେନା, ରାଜକିଶୋର ବେହେରା ଆଦି ଉପସ୍ଥିତି ଥାଇ ଟ୍ରଫିକ ନିୟନ୍ତ୍ରଣ କରୁଛନ୍ତି।

Related posts