ପୃଥକ ପୃଥକ ଦୁର୍ଘଟଣାରେ ୧ମୃତ, ୫ ଆହତ: ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

Published: Jan 13, 2021, 9:34 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଛତ୍ରପୁର ଜାତୀୟ ରାଜପଥରେ ଆଜି ପୃଥକ ପୃଥକ ଦୁର୍ଘଟଣାମାନ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଜାତୀୟ ରାଜପଥର ତାମ୍ପରା ନିକଟରେ ଘନ କୁହୁଡ଼ି ଯୋଗୁଁ ଆଜି ଏକ ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଦ୍ୱାରା ଛତ୍ରପୁର ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା। ପ୍ରଶାସନ ତତ୍ପରତା ଦେଖାଇ ପ୍ରଥମେ ଅଂଚଳର ବିଦ୍ୟୁତ ସରବରାହକୁ ବନ୍ଦ କରିବା ସହ ରାଜପଥର ଦୁଇପାଶ୍ୱର୍ଠାରୁ ଗଂଜାମ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଗାଡ଼ିଚାଳନାକୁ ବନ୍ଦ କରିଦିଆଯାଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସ୍ପ୍ରେ କରିଥିବାବେଳେ ଟ୍ୟାଙ୍କର ନିକଟକୁ ଯିବା ରାସ୍ତାକୁ ସିଲ୍ କରି ଦିଆଯାଇଥିଲା। ଘଟଣସ୍ଥଳରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟସ ରଂଜନ ପୃଷ୍ଟି, ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ତହସିଲ୍‌ଦାର ନୀଳମାଧବ ଭୋଇ, ଥାନାଧିକାରୀ ପ୍ରିୟସ ରଜନ ଛୋଟରାୟ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଗ୍ୟାସ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟ ପାଇଁ ଆସୁଥିବା ଏକ ପୋଲିସ୍ ଭ୍ୟାନ ମଧ୍ୟ ରାସ୍ତାରେ ଓଲଟି ପଡ଼ିଥିଲା। ଭ୍ୟାନ ମଧ୍ୟରେ ଥିବା ଚାଳକ ସୁଲେଖ ପ୍ରଧାନ, ଗୋପାଳ ସେଠୀ, ଘନଶ୍ୟାମ ରେଡ଼ି, ସଂଜୟ ବାରିକ, ସରଜେଣ୍ଟ ସଂଜୟ ଆହତ ହୋଇଥିଲେ। ସଂଗେ ସଂଗେ ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲ୍ ନିଆଯାଇଥିବାବେଳେ ଜଣକର ଅବସ୍ଥା ଗୁରୁତର ରହିଛି।

ଏହାର କିଛି ସମୟ ପରେ ଏହି ଦିଗରେ ଆସୁଥିବା ଏକ ଟ୍ରକ ରାସ୍ତାରେ ସାଇଡ଼୍ କରିବା ବେଳେ ଖାଲ ମଧ୍ୟକୁ ପଶିଯାଇଥିଲା। ଫଳରେ ଗାଡ଼ିର ଡ଼୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଅଂଚଳରେ ସକାଳୁ ସକାଳୁ ଘନକୁହୁଡ଼ି ହୋଇଥିବାରୁ ରାସ୍ତା ଦେଖାଯାଉନଥିବାରୁ ଏଭଳି ଦୁର୍ଘଟଣାମାନ ଘଟିଥିବା କୁହାଯାଉଛି। ଆଗାମୀ କିଛିଦିନ ମଧ୍ୟ ଏଭଳି କୁହୁଡ଼ି ଦେଖାଯିବାରୁ ସାବଧାନାରେ ଗାଡ଼ି ଚଳାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଗ୍ୟାସ ଟ୍ୟାଙ୍କର ଓଲଟିବା ଏହା ପ୍ରଥମ ଘଟଣା ନୁହେଁ। ଗତ କିଛି ବର୍ଷ ତଳେ ଛତ୍ରପୁର କଲେଜ ଛକ ନିକଟରେ ମଧ୍ୟ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ଯିବାରୁ ଅଂଚଳର ପ୍ରାୟ ସମସ୍ତ ଘରର ରୋଷେଇ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ଆଜିର ଟ୍ୟାଙ୍କର ଓଲଟିବା ପରେ ଅଂଚଳରେ ପୁରୁଣା ଭୟ ଦେଖିବାକୁ ମିଳିଥିଲା।

Related posts