ଜବତ ହେଲା ଗଜପତିରୁ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ହେଉଥିବା ରକ୍ତଚନ୍ଦନ: ୨ ଅଟକ

Published: Jan 18, 2021, 8:14 pm IST

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜବତ ହୋଇଛି। ଏହି ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇ ଏଥିରୁ ଦେଢ କୁଇଣ୍ଟାଲ୍ ଓଜନର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଜବତ କରାଯାଇଛି। ରକ୍ତଚନ୍ଦନ ଚୋରାଚାଲାଣକାରୀ ୨ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ପାଇଁ ଉଦ୍ୟମ ଚାଲିଛି ବୋଲି ଏକ ତଥ୍ୟ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଠାରେ ପହଞ୍ଚିଥିଲା। ଏଥି ଅନୁଯାୟୀ ଡିଏଫଓ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ରେଞ୍ଜ ଅଧିକାରୀ କୋବୀନ ପରିଚ୍ଛା ଏବଂ ଦେବଗିରି ରେଞ୍ଜ ଅଧିକାରୀ ଅରୁଣ କୁମାର ବେହେରା ବନ କର୍ମଚାରୀଙ୍କ ସହ ସଜାଗ ରହି ପେଟ୍ରୋଲିଂ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତକାଲି ପେଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୭ ଘଣ୍ଟା ସମୟରେ ବାଞ୍ଜେରୀ ଗ୍ରାମ ଛକରୁ ଏକ ଅଟୋ ଦୃତ ଗତିରେ ଯାଉଥିବା ଦେଖା ଯାଇଥିଲା। ସନ୍ଦେହରେ ଅଟୋକୁ ଅଟକାଇ ତଦନ୍ତ କରିବାରେ ଆନ୍ଧ୍ରକୁ ରକ୍ତଚନ୍ଦନ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା। ଅଟୋରୁ ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଉଦ୍ଧାର କରାଯାଇଥିଲା। ଏହାର ଓଜନ ଦେଢ କୁଇଣ୍ଟାଲ ଥିବା ସୂଚନା ମିଳିଛି। ଚୋରାଚାଲାଣରେ ବ୍ୟବହୃତ ଅଟୋ ଡ୍ରାଇଭର ବିରାଜ ଆନ୍ଦପୁ(୩୦) ସହ ଭେଙ୍କେଟେଶ ମିଶାଲ(୨୮)ଙ୍କୁ ଅଟକ ରଖାଯାଇ ରକ୍ତଚନ୍ଦନ ଗଣ୍ଡି କେଉଁ ଠାରୁ ଅଣାଗଲା ଓ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ସେ ନେଇ ତଦନ୍ତ ଜାରି ରଖାଯାଇଥିବା ପାରଳା ବନ ବିଭାଗର ଏସିଏଫଓ ଗୌରୀ ପ୍ରସାଦ ରଥ ଜଣାଇଛନ୍ତି।

Related posts