କେନ୍ଦୁଗୁଡା ଘାଟିରେ ଓଲଟିଲା ଟୁରିଷ୍ଟ ବସ: ଜଣେ ମୃତ, ୨ ଗୁରୁତର, ୧୦ ଆହତ

Published: Jan 18, 2021, 8:33 pm IST

ମୋହନା: ରାୟଗଡା ସୀମାନ୍ତରେ ଏକ ଟୁରିଷ୍ଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ମୃତକ ଜଣଙ୍କ ହେଲେ ଭୁବନେଶ୍ୱରର ସୁନୀଲ ସାହୁ(୨୮)। ଏକ ଟୁରିଷ୍ଟ ଗାଡ଼ି ନଂ-(ଓଡ଼ି ୧୩ ଏମ ୦୦୨୫)ରେ ପ୍ରାୟ ୨୦ ଜଣ ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ କୋରାପୁଟ ବୁଲିବାକୁ ଯାଇଥିଲେ। ସୋମବାର ଭୋର ୬ଟା ସମୟରେ ଫେରିବା ବେଳେ କେନ୍ଦୁଗୁଡା ଘାଟି ଡୁମୂଳାପଦର ଛକ ବୁଲାଣି ନିକଟରେ ଘନ କୁହୁଡ଼ି ଯୋଗୁଁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା।

ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକଲ ପଠାଯାଇଥିବା ଜଣାପଡିଛି। ଗୁରୁତର ମାନଙ୍କ ମୁଣ୍ଡ, ମୁହଁ, ଛାତିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟ ୧୦ ଜଣ ଆହତଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଛି।

ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଦମକଳ କେନ୍ଦ୍ର ଅଧିକାରୀ ତାରାକାନ୍ତ ମହାପାତ୍ର ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ମୋହନା ପୁଲିସ ଓ ଥାନା ଅଧିକାରୀ ସୁଜିତ କୁମାର ନାୟକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି।

Related posts