ଚୀନ ବିରୋଧରେ ଆମେ ମଧ୍ୟ ଆକ୍ରାମକ ହୋଇପାରିବୁ: ଭାରତୀୟ ବାୟୁସେନା ମୁଖ୍ୟ

Published: Jan 23, 2021, 7:21 pm IST

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିୟାଙ୍କ  ଏକ ବଡ ବୟାନ ସାମ୍ନାକୁ ଆସିଛି। ବାୟୁସେନା ମୁଖ୍ୟ କହିଛନ୍ତି ଯେ, ସୀମା ବିବାଦକୁ ନେଇ ଯଦି ଚୀନ ସେନା ଆକ୍ରମଣାତ୍ମକ ହୋଇପାରନ୍ତି, ତେବେ ଆମ ମଧ୍ୟ ଆକ୍ରାମକ ହୋଇପାରିବୁ। ଚୀନ ସୀମା ଏଲଏସି ଉପରେ ଆକ୍ରାମକ ହେବାର ସମ୍ଭାବନାକୁ ନେଇ ସେ ଏହି ବୟାନ ଦେଇଛନ୍ତି।

ଆଜି ଡେଜର୍ଟ ନାଇଟ-୨୦୨୦ ଅଭ୍ଯାସ ସମୟରେ ବାୟୁସେନା ମୁଖ୍ୟ ଭଦୌରିୟା କହିଛନ୍ତି ଯେ, ଆମ ପାଖକୁ ୮ ଟି ରାଫେଲ ବିମାନ ଆସି ସାରିଛି। ଆଉ ତିନୋଟି ରାଫେଲ ବିମାନ ଏହି ମାସ ଶେଷ ବେଳକୁ ଆସିଯିବ। ୨୦୨୩ ସୁଦ୍ଧା ବାକି ସବୁ ବିମାନ ଭାରତରେ ପହଞ୍ଚିଯିବ।

ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଆମେ ଏଏମସିଏ ଏୟାରକ୍ରାଫ୍ଟ ପ୍ରୋଜେକ୍ଟ ଜରିଆରେ ଡିଆରଡିଓ ସହ ମିଶି ପଞ୍ଚମ ପିଢୀର ଯୁଦ୍ଧ ବିମାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆମେ ଏଥିରେ ଷଷ୍ଠ ପିଢୀର କ୍ଷମତାକୁ ଯୋଡିବାକୁ ଚାହୁଁଛୁ। କିନ୍ତୁ ପ୍ରଥମେ ପଞ୍ଚମ ପିଢୀ ଯୁଦ୍ଧ ବିମାନ ଉପରେ ଆମେ ଧ୍ୟାନ କେନ୍ଦ୍ରିତ କରୁଛୁ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତ ଏବଂ ଚୀନ ମଧ୍ୟରେ ବହୁ ଦିନ ଧରି ସୀମା ବିବାଦ ଜାରି ରହିଛି। ଗତ ବର୍ଷ ପୂର୍ବ ଲଦାଖରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସା ହୋଇଥିଲା। ସେହିଦିନ ଠାରୁ ଉଭୟ ଦେଶ ମଧ୍ୟରେ ବିବାଦ ଜାରି ରହିଛି। ଏହା ଭିତରେ ଏଲଏସିରେ ଭାରତ ନିଜର ସୈନ୍ୟ କ୍ଷମତା ବୃଦ୍ଧି କରୁଛି।

Related posts