ଆସନ୍ତାକାଲି ଭାରତ ବନ୍ଦ ଡାକରା: ଉଠାଦୋକାନୀ ଓ ଭେଣ୍ଡିଂଜୋନର ସମର୍ଥନ

Published: Feb 25, 2021, 7:08 pm IST

ଭୁବନେଶ୍ୱର: ଜିଏସ୍‌ଟି ବ୍ୟବସ୍ଥାର ବାରମ୍ବାର ପରିବର୍ତ୍ତନ ଓ ଜିଏସ୍‌ଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆସନ୍ତା ୨୬ ଭାରତ ବନ୍ଦ ଡ଼ାକରା ଦେଇଛି। ନିଖିଳ ଓଡ଼ିଶା ରାସ୍ତା ପାର୍ଶ୍ଵରେ ଉଠାଦୋକାନୀ ମହାସଂଘ ଏହାକୁ ସମର୍ଥନ ଜଣାଇଛି। ସେଥିପାଇଁ ଓଡ଼ିଶାର ପାଖାପାଖି ୨ ଲକ୍ଷ ଉଠାଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଏହି ଆନ୍ଦୋଳନକୁ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖାଯିବ ବୋଲି ମହାସଂଘର ରାଜ୍ୟ ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, କେନ୍ଦ୍ର ସରକାର ଜିଏସ୍‌ଟିକୁ ମନୋମୁଖୀ ଭାବରେ ବଢାଇବା, ଲୋକଙ୍କ ନିକଟରୁ ଜୋର ଜବରଦସ୍ତ ଜିଏସ୍‌ଟି ଆଦାୟ କରିବା, ୯୦ରୁ ଅଧିକ ଥର ଜିଏସ୍‌ଟି ସଂଶୋଧନ କରାଯାଇଥିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସଂଶୋଧନ ନକରି ଗ୍ରାହକ ଓ ଦୋକାନୀମାନଙ୍କ ଉପରେ ଜିଏସ୍‌ଟି ଆଦାୟ କରିବା ଏକ ଜିଜିୟାକର ସଦୃଶ। ୨୬ ତାରିଖ ଭାରତ ବନ୍ଦ ଆନ୍ଦୋଳନରେ ବିଭିନ୍ନ ପ୍ରକାର କ୍ଷୁଦ୍ର ବ୍ୟବସାୟୀ ୟୁନିୟନ, ଜାତୀୟସ୍ତରୀୟ କ୍ଷୁଦ୍ର ବ୍ୟବସାୟୀ ଉଠାଦୋକାନୀ ସଂଗଠନ ଏହାକୁ ସମର୍ଥନ କରିଛନ୍ତି। ୨୬ ତାରିଖ ଭାରତ ବନ୍ଦରେ ଅତ୍ୟାବଶ୍ୟକ ସାମଗ୍ରୀ ମେଡ଼ିକାଲ ସୁବିଧା, ଅମ୍ବୁଲାନ୍ସ ସେବା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲା ରହିବ ବୋଲି ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି।

Related posts