ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ କରିବା ପାଇଁ ପଦକ୍ଷେପ ନିଅନ୍ତୁ ସରକାର- ନରସିଂହ ମିଶ୍ର

Published: Feb 28, 2021, 11:20 am IST

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହା ଦ୍ୱାରା ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ୨୦୧୪ ମସିହା ଆଗରୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ସେତେବେଳେ କହିଥିଲେ ଯେ ଯିଏ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ରୋକି ପାରୁ ନାହିଁ ସେ ହେଉଛି ଦେଶଦ୍ରୋହୀ। ଆଜି ସେହି ଲୋକ ଦେଶର ଶାସନ କ୍ଷମତାରେ ଅଛନ୍ତି। ତା ହେଲେ ଏବେ ଦେଶଦ୍ରୋହୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରୀ ବର୍ତ୍ତମାନ କହୁଛନ୍ତି ଯେ ଏହାକୁ ଜିଏସଟି ମଧ୍ୟରେ ଅଣା ଯିବା ଆବଶ୍ୟକ। ଯଦି ଆବଶ୍ୟକ ତା ହେଲେ ଏହି କାମ କରିବ କିଏ। ସେ ନିଜେ ସରକାରରେ ଅଛନ୍ତି। ତେଣୁ ଏହାକୁ କରିବାର ଦାୟିତ୍ୱ ତାଙ୍କର। କେବଳ କହିଲେ କଣ ହେବ ବୋଲି ସେ କହିଛନ୍ତିା

ଅନ୍ୟ ପକ୍ଷରେ ବିଜେପି ବିଧାୟକ ଦଳର ଉପ ନେତା ବିଷ୍ଣୁ ସେଠୀ କହିଥିଲେ ଯେ, ଗୃହରେ ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରା ଯାଇଛି। ସେ କହିଥିଲେ ଯେ ଡୋକଲାମରେ ଯିଏ ଚୀନର ସୈନିକ ମାନଙ୍କୁ ରୋକିଲା ସେ ଦେଶଦ୍ରୋହୀ ନା ଯିଏ ଚୀନକୁ ଜମି ଦେଇ ଦେଲା ସେ ଦେଶଦ୍ରୋହୀ। ଯିଏ ଆକ୍ରମଣର ଶୀକାର ହେବା ପରେ ଚୁପ ରହୁଥିଲା ସେ ଦେଶଦ୍ରୋହୀ ନା ଯିଏ ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କଲା ସେ ଦେଶ ଦ୍ରୋହୀ ବୋଲି ସେ ପ୍ରଶ୍ନ କରିଥିଲେ।

Related posts