Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ନିର୍ବାଚନ ଲଢିବେ ସୁରେଶ ରାଉତରାୟ ଓ ନରସିଂହ ମିଶ୍ର, ଜାଣନ୍ତୁ କାହିଁକି ଏପରି ପରିବର୍ତ୍ତନ

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ କଂଗ୍ରେସର ଦୁଇ ତୁଙ୍ଗ ନେତା ନରିସଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଏହି ଦୁଇ ନେତା ପୂର୍ବରୁ ଘୋଷଣା କରିଥିଲେ ଯେ, ଚଳିତ ନିର୍ବାଚନରେ ସେମାନେ ଲଢେଇ କରିବେ ନାହିଁ। ଏପରିକି ଜଟଣୀ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ଶେଷଥର ପାଇଁ ମୁଣ୍ଡିଆ ମାରି ଚାଲି ଆସିଛନ୍ତି। ସେତେବେଳେ ସେ କହିଥିଲେ ଯେ, ଆଉ ମୁଁ ବିଧାନସଭା ଆସିପାରିବି ନାହିଁ, ସେଥିପାଇଁ ମୁଣ୍ଡିଆ ମାରୁଛି।

ତେବେ ବର୍ତ୍ତମାନ ସେମାନେ କାହିଁକି ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, କଣ ରହିଛି ଏହାର କାରଣ। ବର୍ତ୍ତମାନ ସୁଦ୍ଧା ସୁରେଶ ରାଉତରାୟ କିମ୍ବା ନରସିଂହ ମିଶ୍ର କେହି ବି ଜଣେ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ନାହାଁନ୍ତି। ସେମାନେ ନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ତେବେ ସେମାନେ ଲଢିବେ ବୋଲି ନିଜେ ଘୋଷଣା ନ କରିବା ସତ୍ବେ ଏପରି ଚର୍ଚ୍ଚା କେଉଁଠୁ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ଚର୍ଚ୍ଚା ହେବାର କାରଣ ହେଉଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ ହିଁ ଜଣାଇଛନ୍ତି ଉଭୟ ନିର୍ବାଚନ ଲଢିବେ। ଜଟଣୀରେ କଂଗ୍ରେସ ତରଫରୁ ଆୟୋଜିତ ହୋଇଥିବା ଏକ ଜନସଭା ପରେ ଶରତ ପଟ୍ଟନାୟକ ଏହା କହିଛନ୍ତି। ସେଠାରେ ସେ ସୁରେଶ ରାଉତରାୟଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ସଂଗଠନ ଅଛି ବୋଲି ଅନୁଭବ କଲେ। ଜଟଣୀରେ ତାଙ୍କ ପୁଅ ଅପେକ୍ଷା ବାପା ସୁର ରାଉତରାୟଙ୍କୁ ଲୋକେ ବହୁତ ଭଲ ପାଉଛନ୍ତି ବୋଲି ଶରତ ଜାଣିବାକୁ ପାଇଲେ।

ଏହାପରେ ସେ ଭୁବନେଶ୍ବର ଆସି ଅନ୍ୟମାନଙ୍କୁ କହିଲେ ଯେ, ଜଟଣୀରୁ ସୁରେଶ ରାଉତରାୟ ଛିଡା ହେବେ। କାରଣ ସେଠାକାର ଲୋକେ ସେ ଛିଡା ହୁଅନ୍ତୁ ବୋଲି ଚାହୁଛନ୍ତି। ଆମେ ସୁର ଭାଇଙ୍କୁ ଅନୁରୋଧ କରିବୁ ସେ ଏଥର ନିର୍ବାଚନରେ ଜଟଣୀ ବିଧାନସଭାରୁ ଲଢେଇ କରନ୍ତୁ। ସେହିପରି ସେ ଏହା ମଧ୍ୟ କହିଥିଲେ ଯେ, ବରିଷ୍ଠ ନେତା ନରିସଂହ ମିଶ୍ରଙ୍କୁ ମଧ୍ୟ ଲୋକେ ଚାହୁଛନ୍ତି। ତାଙ୍କୁ ମଧ୍ୟ ଏଥର ଛିଡା କରିବା ପାଇଁ ଅନୁରୋଧ କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ କଂଗ୍ରେସ ବେଶ ପୁରୁଖା ନେତା ହେଉଛନ୍ତି ନରସିଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଉଭୟଙ୍କର ତ୍ରୁଣମୂଳ ସ୍ତରରେ ରହିଛି ସୁଦୃଢ ସଂଗଠନ। ହେଲେ ବୟସ ହୋଇଯାଇଥିବାରୁ ଉଭୟ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏପରିକି ଉଭୟ ସେମାନଙ୍କର ପୁଅଙ୍କୁ କଂଗ୍ରେସ ଟିକେଟ ଦେଉ ବୋଲି ଅନୁରୋଧ କରିଛନ୍ତି। ଏଥିରେ କଂଗ୍ରେସ ଦଳ ମଧ୍ୟ ରାଜି ହୋଇଥିବାର ଜଣାପଡିଛି। ହେଲେ ପରିସ୍ଥିତି ଦେଖି ବର୍ତ୍ତମାନ ଦଳ ପୂର୍ବ ନିଷ୍ପତିରେ ପରିବର୍ତ୍ତନ କରିଥିବାର ଲକ୍ଷ୍ୟ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭା ନିର୍ବାଚନ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କଲେ ବଡ ଘୋଷଣା

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ରାଜ୍ୟ ରାଜନୀତି ସେତିକି ଗରମାଗରମ ହେବାରେ ଲାଗିଛି। କିଏ କେଉଁଠି ଛିଡା ହେବ, କାହାକୁ କେଉଁ ଦଳ ଟିକେଟ ଦେବ ସେ ନେଇ ଚାଲିଛି ଚର୍ଚ୍ଚା। ଏହି ଭିତରେ ଆଉ ଏକ ବଡ ଖବର ଆସିଛି। ତାହା ହେଲା କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ଘୋଷଣା।

ନରସିଂହ ମିଶ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ବଲାଙ୍ଗିରର ବିଭିନ୍ନ କର୍ମି ସମ୍ମିଳନୀରେ ନରସିଂହ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଉ ନିର୍ବାଚନ ଲଢିବି ନାହିଁ। ମୋର ସାନ ପୁଅ ସମରେନ୍ଦ୍ର ମିଶ୍ରକୁ ଦଳ ଟିକେଟ ଦେବାକୁ ଚାହୁଁଛି। ସେଥିପାଇଁ ନିର୍ବାଚନ ରାଜନୀତିରୁ ମୁଁ ଅବସର ନେଲି ବୋଲି ନରସିଂହ କହିଛନ୍ତି।

ନରସିଂହଙ୍କ ସାନ ପୁଅ ସମରେନ୍ଦ୍ର ପୂର୍ବରୁ କଂଗ୍ରେସରୁ ଲୋକସଭା ପ୍ରାର୍ଥୀ ହୋଇ ହାରିଯାଇଥିଲେ। ବର୍ତ୍ତମାନ ସେ ବିଧାନସଭା ପାଇଁ ଛିଡା ହେଲେ ବଲାଙ୍ଗିରରୁ ଲୋକସଭା ପ୍ରାର୍ଥୀ କିଏ ହେବ ସେ ନେଇ ଚାଲିଛି ଚର୍ଚ୍ଚା। ତେବେ ପୂର୍ବରୁ ନରସିଂହ ନିର୍ବାଚନ ଲଢିବେ ନାହିଁ ବୋଲି ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସ୍ବାଭାବିକ ହେଲା ଗୃହ କାର୍ଯ୍ୟ, କୋଶଳୀ ଭାଷାରେ ପ୍ରଶ୍ନ ଉତ୍ତର

ଭୁବନେଶ୍ବର: ଦୀର୍ଘ ଦୁଇଦିନ ଧରି ବିଧାନସଭାର ଶୀତ ଅଧିବେଶନ ଅଚଳ ହେବା ପରେ ଆଜି ସ୍ବାଭାବିକ ହୋଇଛି। ଆଜି ସକାଳୁ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଠିକରେ ଚାଲିଥିଲା। ପ୍ରଥମେ ଶକ୍ତି ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଥିଲା। ଏହାପରେ ଶିଳ୍ପ ବିଭାଗର ପ୍ରଶ୍ନଉତ୍ତର ଚାଲିଥିଲା। ଏହାର ଉତ୍ତର ରଖିଥିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ।

ତେବେ ଗୃହରେ ଏହି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଲା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ସେହି କୋଶଳୀ ଭାଷାରେ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଚର୍ଚ୍ଚାରେ ବିଧାୟକ ନରସିଂହ ମିଶ୍ର, ବିଧାନସଭାରେ କୋଶଳୀ ଭାଷାରେ ବକ୍ତବ୍ୟ ରଖିବାକୁ ଦାବୀ

ଭୁବନେଶ୍ବର: ବିଧାନସଭାରେ କୋଶଳୀ ଭାଷାରେ ବିଭିନ୍ନ ତଥ୍ୟ ରଖିବା ପାଇଁ ଅନୁମତି ଦିଆଯାଉ ବୋଲି ଆଜି ବାଚସ୍ପତିଙ୍କୁ ଜଣାଇଛନ୍ତି ବିଧାୟକ ନରସିଂହ ମିଶ୍ର। ଆସନ୍ତାକାଲି ବିଧାନସଭା ଥିବାରୁ ଆଜି ସର୍ବଦଳୀୟ ବୈଠକ କରାଯାଇଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଥିଲା। ଏଥିରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ଦାବୀ ରଖିଥିଲେ।

ବର୍ତ୍ତମାନ କୋଶଳୀମାନେ ସ୍ବତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନ କରୁଥିବା ବେଳେ ନରସିଂହ ମିଶ୍ରଙ୍କ ବିଭିନ୍ନ ବକ୍ତବ୍ୟ ବିବାଦୀୟ ହେଉଛି। ପୂର୍ବରୁ ସେ ସିନେମା କଳିକୁ ନେଇ ଓଡିଶା ଦୁଇ ଭାଗ ହୋଇଯିବ ବୋଲି ନରସିଂହ କହିଥିଲେ। ଏବେ ବିଧାନସଭାରେ କୋଶଳୀ ଭାଷାରେ ତଥ୍ୟ ରଖିବାକୁ ଅନୁମତି ମାଗିବା ଘଟଣା ପୁଣି ବିବାଦୀୟ ହୋଇପଡିଛି।

ତେବେ ବିଧାନସଭାରେ ଏହି ଭାଷାର କ୍ଷୀପ୍ରଲେଖକ ନ ଥିବାରୁ ତାହା କହିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ବାଚସ୍ପତି ଜଣାଇଥିଲେ। କାରଣ ସେହି ଭାଷାରେ ଗୃହର ବିବରଣୀରେ ସ୍ଥାନ ନ ପାଇଲେ ତାହା କହିବାର କୌଣସି ମୂଲ୍ୟ ରହିବ ନାହିଁ। ପରବର୍ତ୍ତି ସମୟରେ ଏହା ଉପରେ ବିଚାର କରାଯିବ ବୋଲି ବାଚସ୍ପତି ଜଣାଇଥିଲେ।

Categories
ବିଶେଷ ଖବର

ମୁଖ୍ୟ ଅଭିଯୁକ୍ତ ସହ ନରସିଂହ ଓ କେଭିଙ୍କ ଫଟୋ ଦେଖାଇ କଟାକ୍ଷ କଲେ ଅରୁଣ ସାହୁ

ଭୁବନେଶ୍ଵର: ଜାଲ୍ ସାର୍ଟିଫିକେଟ୍ ମାମଲାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ସହିତ ଫଟୋ ଦେଖାଇ ବିଜେଡି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବିଜେପି ଓ କଂଗ୍ରେସ ନେତାମାନେ ଆଜି ନିଜ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତ ସହିତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ବିଜେପିର ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଫଟୋ ଦେଖାଇବା ସହ ଏଭଳି ଦୁଇ ବିରୋଧୀଦଳକୁ କଟାକ୍ଷ କରିଛନ୍ତି। ନରସିଂହ ମିଶ୍ରଙ୍କ ଭଳି ଜଣେ ସମ୍ମାନାସ୍ପଦ ବରିଷ୍ଠ ନେତା ଏଭଳି ନିମ୍ନ ମାନର ଫଟୋ ରାଜନୀତି କରୁଥିବାରୁ ସେ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

ଶ୍ରୀ ସାହୁ କହିଛନ୍ତି ଯେ ଜାଲ୍ ସାର୍ଟିଫିକେଟ ମାମଲା ପଦାକୁ ଆସିବା ପରେ ଓଡ଼ିଶା ପୁଲିସ ଏହାର ଜୋରଦାର ତନାଘନା କରୁଛି। ତଦନ୍ତରୁ ଯିଏ ଦୋଷୀ ବାହାରିବ, କୋଠର ଦଣ୍ଡ ପାଇବ। ମାତ୍ର ଏଭଳି ଏକ ମାମଲାକୁ ନେଇ ବିରୋଧୀ ଦଳର ବିଧାୟକମାନେ ଶସ୍ତା ଫଟୋ ରାଜନୀତି କରୁଛନ୍ତି। ଗତକାଲି ବିଧାନସଭାରେ ସେମାନେ ମୁଖ୍ୟ ଅଭିଯୁକ୍ତ ସହ ଜଣେ ବରିଷ୍ଠ ବିଜେଡି ନେତାଙ୍କ ଫଟୋ ଦେଖାଇଥିଲେ। ଆଜି ମୁଁ ସେହି ଅଭିଯୁକ୍ତ ସହିତ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେପି ନେତା କେ.ଭି. ସିଂଦେଓଙ୍କ ଫଟୋ ଦେଖାଉଛି। ନରସିଂହ ବାବୁ ଅଭିଯୁକ୍ତର ବିଭିନ୍ନ କାର‌୍ୟ୍ୟକ୍ରମରେ ବାରମ୍ବାର ଯୋଗ ଦେଇଛନ୍ତି। ଉଭୟ ଗୋଟିଏ ମହମବତୀ ଧରି ଦୀପ ଜାଳୁଛନ୍ତି। ଏହା ବ୍ୟତୀତ ମୁକେଶ ମହାଲିଙ୍ଗ ଭଳି ଆହୁରି କେତେଜଣ ବିଜେପି ବିଧାୟକଙ୍କ ସହ ମଧ୍ୟ ଅଭିଯୁକ୍ତର ଲିଙ୍କ୍ ରହିଛି। ଏହିସବୁ ନେତାମାନଙ୍କ ମାଳମାଳ ଫଟୋ ଓ ଭିଡିଓ ବଜାରରେ ଘୂରି ବୁଲୁଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଅଭିଯୁକ୍ତ ସହିତ ସେମାନଙ୍କର ଯେଉଁ ନିବିଡ଼ ସଂପର୍କ ରହିଛି, ତଦନ୍ତରୁ କାଳେ ତାହା ପଦାକୁ ଆସିଯିବ ସେହି ଭୟରେ ସେମାନେ ଟାଣିଓଟାରି ବିଜେଡି ନେତାଙ୍କ ନାଁ ନେଉଛନ୍ତି ଏବଂ ଏଭଳି ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ କେହି ଭୁଲ୍ କଲେ ଆମ ମୁଖ୍ୟମନ୍ତ୍ରୀ ବରଦାସ୍ତ କରନ୍ତି ନାହିଁ। ନିରପେକ୍ଷ ତଦନ୍ତ କରିବା ସହ ଦୋଷୀକୁ ଦଣ୍ଡ ଦିଅନ୍ତି। ତେଣୁ ଏହି ମାମଲାରେ ମଧ୍ୟ ତଦନ୍ତ ଚାଲିଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ କଡ଼ା କାର‌୍ୟ୍ୟାନୁଷ୍ଠାନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗଠନ ହେଲା ବିଧାୟକ ସର୍ବଶ୍ରେଷ୍ଠ ପୁରସ୍କାର କମିଟି

ଭୁବନେଶ୍ବର: ଆଜି ରାଜ୍ୟରେ ବିଧାୟକ ପୁରସ୍କାର କମିଟି ଗଠନ ହୋଇଛି। ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର ଏହି ପୁରସ୍କାର କମିଟି ଗଠନ କରିଛନ୍ତି। ଏହି କମିଟିରେ ବାଚସ୍ପତି ଡା ପାତ୍ର ଅଧ୍ୟକ୍ଷ ରହିଛନ୍ତି। ଏହାସହିତ ଏହି କମିଟିରେ ଉପବାଚସ୍ପତି, ବିଧାୟକ ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଘଡାଇ, ପୂର୍ବତନ ବିଧାୟକ ନଗେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ସଦସ୍ୟ ରହିବେ।

Categories
ଆଜିର ଖବର ରାଜ୍ୟ ଖବର

ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଓଡିଶା ବିଧାନସଭାରେ ଶୋକ

ଭୁବନେଶ୍ଵର: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଛି। ଓଡିଶା ବିଧାନସଭାରେ ଏହି ଘଟଣାକୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଛି। ବିଜେପି ଦଳ ପକ୍ଷରୁ ବିଧାୟକ ମୋହନ ମାଝୀ ଏବଂ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ସେନାକର୍ମଚାରୀଙ୍କ ବିୟୋଗରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ସେଥିପାଇଁ ଗୃହରେ ୧ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଛି। ଏହାପରେ ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ନ ୪ ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା

ଭୁବନେଶ୍ବର, ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ଦେହରେ କିଛି ଲକ୍ଷଣ ପ୍ରକାଶ ପାଇବାରୁ ସେ କରୋନା ପରୀକ୍ଷା କରାଇଥିଲେ। ଆଜି ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ଏ ନେଇ ନରସିଂହ ଟୁଇଟ ମାଧ୍ୟମରେ ମଧ୍ୟ ଜଣାଇଛନ୍ତି।

ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ପରୀକ୍ଷା କରାଇ ନିଅନ୍ତୁ ବୋଲି ନରସିଂହ ଅନୁରୋଧ କରିଛନ୍ତି। ତାଙ୍କୁ କରୋନା ଆକ୍ରାନ୍ତ ହେବା ଖବର ପ୍ରଚାର ପରେ ସମସ୍ତେ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶିଘ୍ର ଆରୋଗ୍ୟ ହେବେ ବୋଲି ଟୁଇଟ କରି ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ କରିବା ପାଇଁ ପଦକ୍ଷେପ ନିଅନ୍ତୁ ସରକାର- ନରସିଂହ ମିଶ୍ର

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହା ଦ୍ୱାରା ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ୨୦୧୪ ମସିହା ଆଗରୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ସେତେବେଳେ କହିଥିଲେ ଯେ ଯିଏ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ରୋକି ପାରୁ ନାହିଁ ସେ ହେଉଛି ଦେଶଦ୍ରୋହୀ। ଆଜି ସେହି ଲୋକ ଦେଶର ଶାସନ କ୍ଷମତାରେ ଅଛନ୍ତି। ତା ହେଲେ ଏବେ ଦେଶଦ୍ରୋହୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରୀ ବର୍ତ୍ତମାନ କହୁଛନ୍ତି ଯେ ଏହାକୁ ଜିଏସଟି ମଧ୍ୟରେ ଅଣା ଯିବା ଆବଶ୍ୟକ। ଯଦି ଆବଶ୍ୟକ ତା ହେଲେ ଏହି କାମ କରିବ କିଏ। ସେ ନିଜେ ସରକାରରେ ଅଛନ୍ତି। ତେଣୁ ଏହାକୁ କରିବାର ଦାୟିତ୍ୱ ତାଙ୍କର। କେବଳ କହିଲେ କଣ ହେବ ବୋଲି ସେ କହିଛନ୍ତିା

ଅନ୍ୟ ପକ୍ଷରେ ବିଜେପି ବିଧାୟକ ଦଳର ଉପ ନେତା ବିଷ୍ଣୁ ସେଠୀ କହିଥିଲେ ଯେ, ଗୃହରେ ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରା ଯାଇଛି। ସେ କହିଥିଲେ ଯେ ଡୋକଲାମରେ ଯିଏ ଚୀନର ସୈନିକ ମାନଙ୍କୁ ରୋକିଲା ସେ ଦେଶଦ୍ରୋହୀ ନା ଯିଏ ଚୀନକୁ ଜମି ଦେଇ ଦେଲା ସେ ଦେଶଦ୍ରୋହୀ। ଯିଏ ଆକ୍ରମଣର ଶୀକାର ହେବା ପରେ ଚୁପ ରହୁଥିଲା ସେ ଦେଶଦ୍ରୋହୀ ନା ଯିଏ ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କଲା ସେ ଦେଶ ଦ୍ରୋହୀ ବୋଲି ସେ ପ୍ରଶ୍ନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇପଡିଲେ । ଭାଷଣ ଦେଇ ସାରିଲା ପରେ ଅସୁସ୍ଥ ହୋଇପଡିଥିଲେ ନରସିଂହ ମିଶ୍ର । ଭାଷଣ ଦେଇ ସାରିଲା ପରେ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ହଠାତ୍‌ ଛାତିକୁ ଧରି ତଳେ ବସିପଡିଥିଲେ ନରସିଂହ ମିଶ୍ର । ତାଙ୍କୁ ତତ୍‌କ୍ଷଣାତ୍‌ ଘରୋଇ ହସ୍ପିଟାଲକୁ ନିଆଯାଇଛି । ସିବିଆଇ ଅଫିସ୍‌ ସାମ୍ନାରେ ଖୋଲା ଜିପ୍‌ରେ ଭାଷଣ ଦେଉଥିବାବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତର କିଛି ସୂଚନା ଦେଇନଥିବା ଜଣାପଡିଛି ।