ଏଥର ନିର୍ବାଚନ ଲଢିବେ ସୁରେଶ ରାଉତରାୟ ଓ ନରସିଂହ ମିଶ୍ର, ଜାଣନ୍ତୁ କାହିଁକି ଏପରି ପରିବର୍ତ୍ତନ

Published: Mar 15, 2024, 11:08 am IST

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ କଂଗ୍ରେସର ଦୁଇ ତୁଙ୍ଗ ନେତା ନରିସଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଏହି ଦୁଇ ନେତା ପୂର୍ବରୁ ଘୋଷଣା କରିଥିଲେ ଯେ, ଚଳିତ ନିର୍ବାଚନରେ ସେମାନେ ଲଢେଇ କରିବେ ନାହିଁ। ଏପରିକି ଜଟଣୀ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ଶେଷଥର ପାଇଁ ମୁଣ୍ଡିଆ ମାରି ଚାଲି ଆସିଛନ୍ତି। ସେତେବେଳେ ସେ କହିଥିଲେ ଯେ, ଆଉ ମୁଁ ବିଧାନସଭା ଆସିପାରିବି ନାହିଁ, ସେଥିପାଇଁ ମୁଣ୍ଡିଆ ମାରୁଛି।

ତେବେ ବର୍ତ୍ତମାନ ସେମାନେ କାହିଁକି ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, କଣ ରହିଛି ଏହାର କାରଣ। ବର୍ତ୍ତମାନ ସୁଦ୍ଧା ସୁରେଶ ରାଉତରାୟ କିମ୍ବା ନରସିଂହ ମିଶ୍ର କେହି ବି ଜଣେ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ନାହାଁନ୍ତି। ସେମାନେ ନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ତେବେ ସେମାନେ ଲଢିବେ ବୋଲି ନିଜେ ଘୋଷଣା ନ କରିବା ସତ୍ବେ ଏପରି ଚର୍ଚ୍ଚା କେଉଁଠୁ ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ଚର୍ଚ୍ଚା ହେବାର କାରଣ ହେଉଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ସେ ହିଁ ଜଣାଇଛନ୍ତି ଉଭୟ ନିର୍ବାଚନ ଲଢିବେ। ଜଟଣୀରେ କଂଗ୍ରେସ ତରଫରୁ ଆୟୋଜିତ ହୋଇଥିବା ଏକ ଜନସଭା ପରେ ଶରତ ପଟ୍ଟନାୟକ ଏହା କହିଛନ୍ତି। ସେଠାରେ ସେ ସୁରେଶ ରାଉତରାୟଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ସଂଗଠନ ଅଛି ବୋଲି ଅନୁଭବ କଲେ। ଜଟଣୀରେ ତାଙ୍କ ପୁଅ ଅପେକ୍ଷା ବାପା ସୁର ରାଉତରାୟଙ୍କୁ ଲୋକେ ବହୁତ ଭଲ ପାଉଛନ୍ତି ବୋଲି ଶରତ ଜାଣିବାକୁ ପାଇଲେ।

ଏହାପରେ ସେ ଭୁବନେଶ୍ବର ଆସି ଅନ୍ୟମାନଙ୍କୁ କହିଲେ ଯେ, ଜଟଣୀରୁ ସୁରେଶ ରାଉତରାୟ ଛିଡା ହେବେ। କାରଣ ସେଠାକାର ଲୋକେ ସେ ଛିଡା ହୁଅନ୍ତୁ ବୋଲି ଚାହୁଛନ୍ତି। ଆମେ ସୁର ଭାଇଙ୍କୁ ଅନୁରୋଧ କରିବୁ ସେ ଏଥର ନିର୍ବାଚନରେ ଜଟଣୀ ବିଧାନସଭାରୁ ଲଢେଇ କରନ୍ତୁ। ସେହିପରି ସେ ଏହା ମଧ୍ୟ କହିଥିଲେ ଯେ, ବରିଷ୍ଠ ନେତା ନରିସଂହ ମିଶ୍ରଙ୍କୁ ମଧ୍ୟ ଲୋକେ ଚାହୁଛନ୍ତି। ତାଙ୍କୁ ମଧ୍ୟ ଏଥର ଛିଡା କରିବା ପାଇଁ ଅନୁରୋଧ କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ କଂଗ୍ରେସ ବେଶ ପୁରୁଖା ନେତା ହେଉଛନ୍ତି ନରସିଂହ ମିଶ୍ର ଏବଂ ସୁରେଶ ରାଉତରାୟ। ଉଭୟଙ୍କର ତ୍ରୁଣମୂଳ ସ୍ତରରେ ରହିଛି ସୁଦୃଢ ସଂଗଠନ। ହେଲେ ବୟସ ହୋଇଯାଇଥିବାରୁ ଉଭୟ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏପରିକି ଉଭୟ ସେମାନଙ୍କର ପୁଅଙ୍କୁ କଂଗ୍ରେସ ଟିକେଟ ଦେଉ ବୋଲି ଅନୁରୋଧ କରିଛନ୍ତି। ଏଥିରେ କଂଗ୍ରେସ ଦଳ ମଧ୍ୟ ରାଜି ହୋଇଥିବାର ଜଣାପଡିଛି। ହେଲେ ପରିସ୍ଥିତି ଦେଖି ବର୍ତ୍ତମାନ ଦଳ ପୂର୍ବ ନିଷ୍ପତିରେ ପରିବର୍ତ୍ତନ କରିଥିବାର ଲକ୍ଷ୍ୟ କରାଯାଇଛି।

Related posts