
ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ ଭୁବନେଶ୍ୱର ନୀଳାଦ୍ରି ବିହାରର ପ୍ରଦୀପ କୁମାର ନାୟକ ତାଙ୍କ ପରିବାର ସହ ନିଜ କାର(ଓଡ଼ି-୩୩ ଟି ୪୮୮୪) ଯୋଗେ ଏକ ବାହାଘରରେ ଯୋଗ ଦେବାକୁ ବାଣପୁର ଯାଉଥିଲେ। ତେବେ ପାଖପାଖି ସଂଧ୍ୟା ୭ ଘଟିକା ସମୟରେ ନାଚୁଣୀ ଓଭରବ୍ରିଜ ଠାରେ ପରିସ୍ରା କରିବା ନିମନ୍ତେ ପ୍ରଦୀପ ନିଜ ଗାଡିର ବ୍ଲିଙ୍କର ଅନ କରି ବାମ ପାର୍ଶ୍ୱରେ ଗାଡିକୁ ଠିଆ କରିଥିଲେ।
ତେବେ ହଠାତ ଦ୍ରୁତଗତିରେ ବଡ଼ବିଲରୁ ଗୋପାଳପୁର ଯାଉଥିବା ଏକ ଆଇରନ ଵୋଝେଇ ଟ୍ରକ( ଓଡ଼ି- ୦୭ ଡବ୍ଲୁ ୦୮୭୧) କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର ଭିତରେ ବସିଥିବା ପ୍ରଦୀପଙ୍କ ପତ୍ନୀ ଏବଂ ପୁଅ ଆହତ ହୋଇଥିବେଳେ କାରର ପଛ ପାର୍ଶ୍ୱଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ସଙ୍ଗେ ସଙ୍ଗେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ବର୍ତ୍ତମାନ ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।