ସରିଲା ରାଜ୍ୟରେ ଜାମିନ ବିହୀନ ପରୱାନା ସ୍ୱତନ୍ତ୍ର ଡ୍ରାଇଭ: ବାଣପୁର,ବାଲୁଗାଁ,ଟାଙ୍ଗୀରୁ ୧୨୨ ଅଭିଯୁକ୍ତ ଗିରଫ

Published: Mar 17, 2021, 10:57 am IST

 

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ: ରାଜ୍ୟ ଡ଼ିଜିପିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ପୋଲିସ ଥାନାରେ ମାର୍ଚ୍ଚ ୭ ତାରିଖରୁ ୧୪ ତାରିଖ ଯାଏଁ ଜାମିନ ବିହୀନ ପରୱାନା(ଏନବିଡବ୍ଲ୍ୟୁ) ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଥିଲା। ଉକ୍ତ ୭ ଦିନ ମଧ୍ୟରେ ଏହାର ଅପରାଧୀଙ୍କୁ ଗିରଫ କରିବାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ପୋଲିସର ଫଳାଫଳ ବେଶ ଭଲ ରହିଛି ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ.ପି ଶ୍ରୀ ରାଜକିଶୋର ଦୋରା।

ଏସ.ପିଙ୍କ ସୂଚନା ମୁତାବକ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ପୋଲିସ ସର୍ବମୋଟ ୧୨୨ ଜଣ ଏନବିଡବ୍ଲ୍ୟୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ତନ୍ମଧ୍ୟରୁ ୭୬ ଜଣଙ୍କୁ କୋର୍ଟ ଓ ଜେଲ ଚାଲାଣ କରାଯାଇଅଛି। ବାଣପୁର ଥାନାର ୫୧, ବାଲୁଗାଁ ଥାନାର ୨୮ ଏବଂ ଟାଙ୍ଗୀ ଥାନାର ୪୩ ଗୋଟି ଏନବିଡବ୍ଲ୍ୟୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ବାଣପୁର ଥାନାର ୨୬, ବାଲୁଗାଁ ଥାନାର ୧୨ ଏବଂ ଟାଙ୍ଗୀ ଥାନାର ୩୮ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଏବଂ ପରେ ଜେଲ ଚାଲାଣ କରାଯାଇଅଛି।

ସେହିପରି ଭାବେ ବାଣପୁର ଥାନାର ୨୫, ବାଲୁଗାଁ ଥାନାର ୧୬ ଏବଂ ଟାଙ୍ଗୀ ଥାନାର ୫ ଗୋଟି ୱାରେଣ୍ଟର ଆଶୁ ସମାଧାନ କରାଯାଇଛି।

Related posts