ପୁଣି ରାଜ୍ୟର ଏହି ଜିଲ୍ଲାରେ ଲାଗିଲା ରାତ୍ରିକାଳୀନ କର୍ଫ୍ୟୁ: ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ଯାଏଁ କଟକଣା

Published: Mar 24, 2021, 7:52 pm IST

ଭୁବନେଶ୍ଵର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ସଂକ୍ରମଣ ବଢିବା ଯୋଗୁଁ ପ୍ରଶାସନ ଧୀରେ ଧୀରେ ତତ୍ପରତା ଦେଖାଉଛି। କଟକଣା ଲଗାଇ ସଂକ୍ରମଣକୁ ରୋକିବା ପାଇଁ ପୁଣିଥରେ ପ୍ରଶାସନ ପ୍ରୟାସ ଆରମ୍ଭ କରିଦେଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଏହା ଉପରେ କଡା ନଜର ରଖୁଛି।

ପୂର୍ବରୁ ମାଲକାନାଗିରି ଜିଲ୍ଲାରେ ସଂକ୍ରମଣ ବଢିବା ଆଶଙ୍କାରେ ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କଟକଣା ଲାଗିବ। ଏହି ସମୟରେ କୌଣସି ଜରୁରୀ କାମ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।

ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ସହ ଆଉ କିଛି କଟକଣା ଲଗାଇଛନ୍ତି। ଘରୋଇ କିମ୍ବା ସର୍ବସାଧାରଣ ସ୍ଥାନରେ ୫ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହେବା ପାଇଁ ମନା କରାଯାଇଛି। ଜରୁରୀ ନଥିବା ସେମିନାର, ୱାର୍କସପ, କନଫରେନ୍ସ, ଧାର୍ମିକ କାର୍ଯ୍ଯକ୍ରମ, ବାହାଘର ବରଯାତ୍ରୀ, ରିସେପ୍ସନ, ଅପେରା ଆଦିକୁ ବାତିଲ କରିବାକୁ ନିର୍ଦ୍ଦେଶ ହୋଇଛି।

ସେହିପରି ରାଜନୈତିକ ଶୋଭାଯାତ୍ରା, ଆନ୍ଦୋଳନ ଉପରେ ରୋକ ଲଗାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related posts