ଘେରି ମୁକ୍ତ ଚିଲିକା ପାଇଁ ଅଣ୍ଟା ଭିଡିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

Published: Mar 25, 2021, 4:41 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଉଚ୍ଚତମ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଗେଇ ଆସିଛି।

ସୂଚନା ଅନୁସାରେ ଆଜି ସକାଳ ପ୍ରହରରୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ।

ବର୍ତ୍ତମାନ ଘେରି ଉଚ୍ଛେଦ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ, ଚିଲିକା ତହସିଲ ଦାର ପୂନମ ମହାପାତ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗି ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟଙ୍କ ଉପସ୍ଥିତରେ ଚିଲିକା ମଧ୍ୟରୁ ଘେରି ଉଚ୍ଛେଦ କରାଯାଇଛି। ବାରମ୍ବାର ଏଭଳି ମାଫିଆ ମାନଙ୍କର ମନମାନି ଚାଲିଥିବାରୁ ପ୍ରଶାସନ ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇ କଡା ପଦକ୍ଷପ ଗ୍ରହଣ କରିଛି।

ତେବେ ପ୍ରଶାସନ ପକ୍ଷରୁ ଏଭଳି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।

Related posts