ଦୀର୍ଘ ମାସ ପରେ ଚିଲିକାକୁ ଫେରିଲା କଣ୍ଟେନମେଣ୍ଟ: ଏହି ସବୁ ଅଞ୍ଚଳରେ ସାତ ଦିନିଆ କର୍ଫ୍ୟୁ

Published: Apr 23, 2021, 6:04 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ମାସ ପରେ ଚିଲିକାକୁ ପୁଣିଥରେ କଣ୍ଟେନମେଣ୍ଟ ଜୋନ ଫେରିଛି। କରୋନା ଦ୍ଵିତୀୟ ଲହରରେ ସାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।  ଦ୍ରୁତଗତିରେ ଚିଲିକା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ବ୍ଲକର ଏକାଧିକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ବଉଳାବନ୍ଧ ଗ୍ରାମ ପଞ୍ଚାୟତ ୧ନମ୍ବର ୱାର୍ଡ ଅନ୍ତର୍ଗତ ପାଟଣା ସାହିର କିଛି ଅଂଶ, ସୀଙ୍ଗେଶ୍ୱର ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡ ଅନ୍ତର୍ଗତ ଧୁଆଁଳ ଗ୍ରାମର କିଛି ଅଂଶ ଏବଂ ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ଲମ୍ବୋଦରପୁର ଗ୍ରାମର କିଛି ଅଂଶକୁ ଆଜି ତା ୨୩ ଏପ୍ରିଲ ରୁ ତା ୨୯ ଏପ୍ରିଲ ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ଏହି ସମୟରେ ସମ୍ପୃକ୍ତ ଅଞ୍ଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକ ବିଶୋଧନ ହେବା ସହ କଣ୍ଟାକ୍ତ ଟ୍ରେସିଂ ଜାରି ରହିବ।

Related posts