କରୋନା ସଂକ୍ରମଣକୁ ଦେଖି ବାଣପୁର ଏନ୍.ଏ.ସି ର ବହୁ ସରକାରୀ କାର୍ଯ୍ୟାଳୟକୁ କରାଗଲା ବିଶୋଧିତ

Published: Apr 25, 2021, 2:40 pm IST

ସୀତାରାମ ଅଗ୍ରୱାଲ

ବାଣପୁର: କରୋନାର ଦ୍ଵିତୀୟ ଲହର ଏବେ ସାରା ଦେଶରେ ଶିଖରରେ ପହଁଚିଛି।  ଓଡ଼ିଶାରେ ମଧ୍ୟ ଲଗାତାର ଭାବେ କିଛି ଦିନ ହେବ ୬ ହଜାରରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଉଛନ୍ତି ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବରରେ ରହୁଛି। ତେବେ ସଂକ୍ରମଣକୁ ରୋକ ଲଗାଇବା ପାଇଁ ସରକାର ପ୍ରତି ଶନି ଏବଂ ରବିବାର ସଟ ଡ଼ାଉନ ଘୋଷଣା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ସଂକ୍ରମଣ ଧୀରେ ଧୀରେ ଉପର ମୁହାଁ ହେଉଥିବାବେଳେ ଏହାକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ରୂପେ ଆଜି ସହରର ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅନୁଷ୍ଠାନ ଗୁଡିକୁ ଏନଏସି ପକ୍ଷରୁ ବିଶୋଧନ କରାଯାଇଅଛି।

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ବିଚାର ବିଭାଗୀୟ ଅଦାଲତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବିଶୋଧନ କରିଛନ୍ତି। ଅଗ୍ନିଶମ ବାହିନୀର ଏକ ଟିମ ଆଜି ସକାଳୁ ଉକ୍ତ ୩ କାର୍ଯ୍ୟାଳୟକୁ ବିଶୋଧିତ କରିଛନ୍ତି।

ତେବେ ଏହିପରି ବିଶୋଧନ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବାଣପୁର ସହରକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ସହ ପ୍ରତ୍ୟେକ ଦିନ ସଂଧ୍ୟାରେ ସହରରେ ଏନଏସି ପକ୍ଷରୁ ମଶାତେଲ ପକାଇବା ପାଇଁ ସାଧାରଣରେ ଦାବି ହେଉଛି।

Related posts