ଇସ୍ତାହାର ନୁହେଁ ବିଜେପି କ୍ଷମାପ୍ରାର୍ଥନା କରିବା ଉଚିତ : ଅହମଦ ପଟେଲ

Published: Apr 8, 2019, 5:13 pm IST

ବିଜେପି ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଏହାର ଇସ୍ତାହାର ପ୍ରକାଶ କରିଛି। ଏହାକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ। ବିଜେପି ଇସ୍ତାହାର ନୁହେଁ ବରଂ କ୍ଷମା ପ୍ରାର୍ଥନା କରିବା ଉଚିତ୍‌ ବୋଲି ଅହମଦ୍‌ ପଟେଲ କହିଛନ୍ତି। ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ ପ୍ରଶ୍ନ କରିଛନ୍ତି। ​ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବେକାରୀଙ୍କୁ ଚାକିରି, ପ୍ରତି ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରାଯିବା, ଏମ୍‌ଏସପି ବୃଦ୍ଧି ଆଦି ପ୍ରତିଶ୍ରୁତି ପୂରଣ କରିବାରେ ବିଜେପି ବିଫଳ ହୋଇଛି। ତେଣୁ ଏଥର ବି ବିଜେପି ଦେଶବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛି। କଂଗ୍ରେସ ନିଜ ଇସ୍ତାହାରର ପ୍ରଥମ ପୃଷ୍ଠାରେ ଜନସାଧାରଣଙ୍କ ଫଟୋ ରଖିଥିବାବେଳେ ବିଜେପି ଇସ୍ତାହାରରେ କେବଳ ମୋଦିଙ୍କ ଫଟୋ ଛାପିଛି। ଦେଶରେ ବେରୋଜଗାରଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସମସ୍ତଙ୍କୁ ରୋଜଗାର ଦେବା ଲାଗି ବିଜେପି ପୂର୍ବରୁ କରିଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପଟେଲ କହିଛନ୍ତି। ନିଜର ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ବିଜେପି ଜନସାଧାରଣଙ୍କ ନିକଟରୁ କ୍ଷମା ପ୍ରାର୍ଥନା କରିବା ଉଚିତ୍‌ ବାେଲି ପଟେଲ କହିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ‘ସବୁଦିନ ପାଇଁ ସମସ୍ତଙ୍କୁ ତୁମେ ଭୂଆଁ ବୁଲାଇପାରିବ ନାହିଁ’ ବୋଲି ଏହି ବିବୃତିରେ କୁହାଯାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts