ବାଲୁଗାଁ-ବାଣପୁରରେ ଦିନକରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ତଣ୍ଡ ଗଣିଲେ ଅମାନିଆ

Published: May 24, 2021, 8:28 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏବଂ ବାଣପୁର ସହରରେ ଆଜି ତହସିଲ, ଏନଏସି ଏବଂ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାପାଳଙ୍କ ଗସ୍ତ ପରେ ଆହୁରି ଆକ୍ଟିଭ ହୋଇଯାଇଛି ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ। ଉଭୟ ତହସିଲ ଅଞ୍ଚଳରେ ‘ଜିରୋ’ କୋଭିଡ଼ ଲକ୍ଷ୍ୟକୁ ନେଇ ଗତକାଲିଠାରୁ କାମ ଆରମ୍ଭ ହୋଇଯାଇଛି।

ବାଲୁଗାଁ ଏବଂ ବାଣପୁର ସହରରେ କୋଭିଡ ସ୍ଥିତି ଜଟିଳ ଥିବାବେଳେ ଆଜି ଉଭୟ ସହରରୁ ମାତ୍ର ୪ ଜଣ ନୂତନ ପଜିଟିଭ ଚି଼ହ୍ନଟ ହୋଇଛନ୍ତି ଯାହା ପ୍ରଶାସନର ମନୋବଳକୁ ଆହୁରି ବଢ଼ାଇଦେଇଛି। ଉଭୟ ତହସିଲଦାର ଆଜି ସହରରେ କଡା କୋଭିଡ ଏନ୍ଫୋର୍ସମେଣ୍ଟ କରୁଥିବାର ଦେଖାଯାଇଥିଲା।

ତେବେ ଚିଲିକା ତହସିଲ ପକ୍ଷରୁ ବାଲୁଗାଁରୁ ୫ ହଜାର ଟଙ୍କା ଏବଂ ବାଣପୁର ତହସିଲ ଦ୍ୱାରା ବାଣପୁରରୁ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି। ସେହିପରି ଭାବେ ବାଣପୁର ଏବଂ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରି ମଧ୍ୟ ଆଜି ଉଭୟ ସହରରେ ଏନ୍ଫୋର୍ସମେଣ୍ଟ କରୁଥିବାର ଦେଖାଯାଇଥିଲା। ଏନଏସି ଦ୍ୱାରା ବାଲୁଗାଁ ସହରରୁ ୨ ହଜାର ଟଙ୍କା ଏବଂ ବାଣପୁର ସହରରୁ ୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

ଅନୁରୂପ ଭାବେ ବାଲୁଗାଁ ପୋଲିସ ପକ୍ଷରୁ କୋଭିଡ ଏନ୍ଫୋର୍ସମେଣ୍ଟ ବାବଦକୁ ୧୦ ହଜାର ୨ ଶହ ଟଙ୍କା ଏବଂ ଅମାନିଆ ଗାଡିଚାଳକଙ୍କ ଠାରୁ ୪୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାବେଳେ ବାଣପୁର ପୋଲିସ ପକ୍ଷରୁ କୋଭିଡ଼ ଏନ୍ଫୋର୍ସମେଣ୍ଟ ବାବଦକୁ ୭ ହଜାର ୨ ଶହ ଟଙ୍କା ଏବଂ ଅମାନିଆ ଗାଡିଚାଳକଙ୍କ ଠାରୁ ୫୩ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଉଭୟ ଆଇଆଇସି।

Related posts