ଚିକିତ୍ସା ସମୟରେ ରୋଗୀଙ୍କୁ ନିଜର କରିନିଅନ୍ତି ସମ୍ କୋଭିଡ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର ଟିମ୍

Published: Jun 8, 2021, 5:02 pm IST

ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ସେହି ଆତ୍ମିୟ ଜଣଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ, ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ ଭାଙ୍ଗିପଡ଼ିଥାଏ। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ବର୍ଗ ବିବ୍ରତ ହୋଇପଡ଼ନ୍ତି।

ତେବେ ସଂକ୍ରମିତ ବ୍ୟକ୍ତିଙ୍କର ପରିବାର ଲୋକେ ରାଜ୍ୟ ବାହାରେ ଥାଆନ୍ତୁ ଅଥବା ଦେଶ ବାହାରେ ସେମାନଙ୍କର ଚିକିତ୍ସା ଏବଂ ଯତ୍ନ ଖୁବ ସୁଚାରୁରୂପେ ତୁଲାଇଥାନ୍ତି ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାର। ଖାଲି ସେତିକି ନୁହେଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରନ୍ତର ସଂପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବା ସହ ଭିଡିଓ କଲ୍ ଦ୍ୱାରା ପରିବାର ସହ ଯୋଡିଥାନ୍ତି।

ଗତ ଏପ୍ରିଲ୍ ମାସ ୨୬ ତାରିଖରେ କରୋନା ସଂକ୍ରମିତ ହୋଇ ମେ ୫ ତାରିଖରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ ପ୍ରଦୀପ କୁମାର ମାଧୁପ୍। ରେଳ ବିଭାଗ ଅଧିନସ୍ଥ ରାଇଟ୍‌ସ ର ଏହି ବରିଷ୍ଠ ଅଧିକାରୀ ଶ୍ରୀ ମାଧୁପ୍ ଝାରସୁଗୁଡାରେ କାର୍ଯ୍ୟରତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡି ବାରୁ ତାଙ୍କୁ ପ୍ରଥମେ ଏମ୍‌ସିଏଲ୍ ହସ୍ପିଟାଲ୍ ଏବଂ ପରେ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

କିନ୍ତୁ ତାଙ୍କ ଅବସ୍ଥା ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ପାଖରେ ତାଙ୍କର ପରିବାର ନଥିଲେ। କାରଣ ତାଙ୍କ ପତ୍ନୀ ଏବଂ ପିଲାମାନେ ମଧ୍ୟ କରୋନା ସଂକ୍ରମିତ ହୋଇ ଓଡ଼ିଶା ବାହାରେ ଚିକିତ୍ସିତ ହେଉଥିଲେ। ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ସମ୍ କୋଭିଡ ହସ୍ପିଟାଲ୍ ସହ ଯୋଗାଯୋଗ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସର୍ମ୍ପକରେ ହେଲ୍‌ପ୍ ଡେସ୍କ ଟିମ୍ ସମସ୍ତ ତଥ୍ୟ ନିୟମିତ ଭାବେ ପ୍ରଦାନ କରୁଥିଲେ ଏବଂ ଡାକ୍ତର ଓ ନର୍ସମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସୁଧାରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ।

ଦୀର୍ଘ ୧୨ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ପଲ୍‌ମୁନାରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ୍ ଓ କ୍ରିଟିକାଲ କେୟାର ୟୁନିଟ୍‌ର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ
ତତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା। ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୋମବାର ସମ୍ ଅଲ୍ଟିମେଟ୍‌ରୁ ଡିସ୍‌ଚାର୍ଜ ହୋଇ ନିଜ ଘର ବିହାରର ପାଟନାକୁ ଫେରିଯାଇଛନ୍ତି।

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ଶ୍ରୀ ମଧୁପ୍ ଭାବବିହ୍ୱଳ ହୋଇପଡିଥିଲେ। ସେ କହିଛନ୍ତି ମୁଁ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଆସିବା ବେଳେ ମୋ ପାଖରେ କେହି ନଥିଲେ। ମୋ ପରିବାର ମୋ ଠାରୁ ବହୁ ଦୂରରେ ଥିଲେ। କିନ୍ତୁ ଦୁଇଟି ହସ୍ପିଟାଲ୍‌ର, ସମ୍ କୋଭିଡ ଓ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସେବା, ଯତ୍ନ, ସାହାଯ୍ୟ ଓ ସହଯୋଗ ଫଳରେ ମୁଁ ନୂଆ ଜୀବନ ପାଇ ଆଜି ଘରକୁ ଫେରିପାରୁଛି।

ସେହିପରି ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ଶ୍ରୀ କୁମାର ଆନନ୍ଦ ମଧ୍ୟ ଏ ନେଇ ଆନ୍ତରିକ କୃତଜ୍ଞତା ଜଣାଇବା ସହ ବିଶେଷ ଭାବେ ସମ୍ କୋଭିଡ ହସ୍ପିଟାଲ୍‌ର ହେଲ୍‌ପ୍ ଡେସ୍କ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଗତ ଏପ୍ରିଲ୍ ୨୭ ତାରିଖରେ ପ୍ରିୟମ୍ବଦା ଦାସ (୫୯) ନାମକ ଜଣେ ମହିଳା କୋଭିଡ ସଂକ୍ରମିତ ହେବା ପରେ ପ୍ରଥମେ ସମ୍‌ କୋଭିଡ୍ ହସ୍ପିଟାଲ୍ ଏବଂ ପରବର୍ତ୍ତୀ ସମୟରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲେ। ସେ ମଧ୍ୟ ଗତ ମେ ୫ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରିୟମ୍ବଦା ସଂକ୍ରମିତ ହେବା ପରେ ମେଲ୍‌ବୋର୍ଣ୍ଣରେ ଥିବା ତାଙ୍କ ପୁଅ ସମ୍ଭବ ଦାସ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟସ୍ତ ହୋଇପଡ଼ିଥିଲେ।

ସୁଦୂର ଅଷ୍ଟ୍ରେଲିଆରେ ଥିବା ପୁଅ ମା ପାଖକୁ ଆସି ପାରୁନଥିବାରୁ ଦୁଃଖରେ ଥିବା ବେଳେ ମା ସୁସ୍ଥ ହୋଇ ଘରକୁ ଫେରିବା ପରେ ଦୁଇଟି ହସ୍ପିଟାଲ୍‌ର ସମସ୍ତ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related posts