ଚିଲିକା: ଚାଷଙ୍ଗରା ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

Published: Jun 15, 2021, 9:57 pm IST

ସୀତାରାମ ଅଗ୍ରୱାଲ

 

ଚିଲିକା: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଯାଇଛି।ଯେଉଁଥିରେ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି।

ସୂଚନା ମୁତାବକ ବାଣପୁର ଥାନା ରାଣୀପଡ଼ା ଗ୍ରାମର ଦୁଇ ଜଣ ଯୁବକ ସୁବଳ ମହାରଣା (୧୯) ଏବଂ ଶତ୍ରୁଘ୍ନ ପାଲଟାସିଂହ (୨୧) କୌଣସି କାର୍ଯ୍ୟରେ ଏକ ଅପାଚି ବାଇକ ଯୋଗେ ଚାଷଙ୍ଗରା ଗ୍ରାମକୁ ଯାଇଥିଲେ। ଘରକୁ ଫେରିବା ସମୟରେ ପାଖାପାଖି ଅପରାହ୍ନ ୫ ଘଟିକାରେ ଅସାବଧାନତା ବଶତଃ ବାଇକ ଚାଳକ ସୁବଳ ଉକ୍ତ ଗ୍ରାମର ଏକ ବିଶାଳ ତେନ୍ତୁଳି ଗଛକୁ ବାଇକଟିକୁ ପିଟିଦେଇଥିଲେ। ଫଳରେ ଉଭୟେ ବାଇକରୁ ଛିଟିକି ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହଯୋଗକ୍ରମେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲକୁ ନିଆଯାଇଥିଲା।

ଉଭୟଙ୍କ ମସ୍ତିଷ୍କରେ ଗଭୀର ଆଘାତ ହୋଇଥିବାବେଳେ ପ୍ରଚୁର ରକ୍ତସ୍ରାବ ମଧ୍ୟ ହୋଇଛି। ତେବେ ଅବସ୍ଥା ସଂକଟପନ୍ନ ହେବାରୁ ଡାକ୍ତର ସେମାନଙ୍କୁ ତୁରନ୍ତ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଦେଇଥିଲେ। ହେଲେ ସେଠାରେ ବି ଅବସ୍ଥାରେ ସୁଧାର ନଆସିବାରୁ ଡାକ୍ତର ଉଭୟଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି।

ତେବେ ଉଭୟଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବାର ସୂଚନା ମିଳିଛି।

Related posts