ଆଜି ସଂଧ୍ୟାରେ ଶ୍ରୀମନ୍ଦିରରେ ହେବ ରାଜେନ୍ଦ୍ରାଭିଷେକ ନୀତି, ଜାଣନ୍ତୁ ଏହା କଣ, କିପରି ପାଳିତ ହୋଇଥାଏ

Published: Jun 20, 2021, 12:53 pm IST

ପୁରୀ, ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସନ୍ଧ୍ୟାଧୂପ ସରିବା ପରେ, ଶ୍ରୀ ମଦନମୋହନ ଆଜ୍ଞାମାଳ ପାଇ, ଭୋଗ ବାଟ ଗଣେଶଙ୍କ ପାଖରେ ପଡିଥିବା ଖଟୁଲି ଉପରେ ବିଜେ କରିଥାନ୍ତି। ଭିତର ଶୋଧ ହେବା ପରେ, ଜୟବିଜୟ ଦ୍ଵାର ବନ୍ଦ ହୋଇ ଜଗମୋହନ ଅନ୍ଧକାର କରାଯାଇଥାଏ ଏବଂ ପ୍ରଭୁଙ୍କୁ ଆଲଟ ଲାଗି ହୋଇଥାଏ।

ଏହା ପରେ ଜଣେ ସେବକ ଆସି ଶ୍ରୀ ମଦନମୋହନଙ୍କଠାରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇଥାନ୍ତି। ଏହା ପରେ, ମହାପ୍ରଭୁ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ ବଟମୂଳ ସ୍ଥିତ ରଥରେ ବିଜେ କରିଥାନ୍ତି। ଏହା ପରେ ଘଣ୍ଟ ଓ କାହାଳୀ ବାଜି ମହାପ୍ରଭୁ ରଥରେ ବେଢା ପରିକ୍ରମା କରି ସାରି ବଟମୂଳଠାରେ ବିଜେ କରିଥାନ୍ତି ।

କୁତ କୌତୁକ ଋଷି ଭେଶରେ ଜଣେ ସେବକ ପାଳିଆ ସେବକଙ୍କଠାରୁ ଶୁକ୍ଳ ଫୁଲ ନେଇ ଆଞ୍ଜୁଳି କରି ରାସ୍ତା ଯାକ ଥରକୁ ଥର ଦଣ୍ଡ ପ୍ରଣାମ କରି ଦକ୍ଷିଣୀ ଘରକୁ ନେଇଥାନ୍ତି। ଏଠାରେ ଖଟ ଉପରେ ବିଜେ କରିବା ପରେ ପ୍ରଭୁଙ୍କ ପଞ୍ଚାମୃତ ମହାସ୍ନାନ ହୋଇ, ଫୁଲ ଚନ୍ଦନ ଲାଗି ବେଶ କରାଯାଇଥାଏ ଏବଂ ଶୀତଳ ଭୋଗ ମଣୋହି ହୋଇ, ଖିରି, ଅମାଲୁ ଭୋଗ ହୋଇ ବନ୍ଦାପନା ବଢ଼ିଥାଏ ।

ଏହି ନୀତି କାନ୍ତି ପରେ ପ୍ରଭୁ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି। ଅଭିଷେକ ସମୟରେ ଛତା ଟେକା ହୋଇ ଘଣ୍ଟ କାହାଳୀ ମହୁରୀ ବାଜୁ ଥାଏ ଏବଂ ଅଭିଷେକ ସରିବା ପରେ ଭିତରେ ପଣା ଭୋଗ ଓ ଅନ୍ୟାନ୍ୟ ନୀତି ହୋଇଥାଏ।

Related posts